ଇମ୍ରାନ ପଛରେ କେଉଁମାନେ, ଖୋଜୁଛି ପୁଲିସ
ରାଜଧାନୀ ଭୁବନେଶ୍ୱରର ୟୁନିଟ-୬ ଅଂଚଳରୁ ଜଣେ ଆତଙ୍କବାଦୀକୁ ଦିଲ୍ଲୀ ସ୍ପେଶାଳ ବ୍ରାଂଚ ଗିରଫ କରିଛି । ଅଭିଯୁକ୍ତର ନାମ ଏସ କେ ଇମ୍ରାନ ବୋଲି ଜଣାପଡ଼ିଛି ।
ଗିରଫ ପରେ ସ୍ଥାନୀୟ ଏସଡିଜେଏମ କୋର୍ଟରେ ହାଜର କରି ୪ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀ ପୁଲିସ ନେଇଛି । ଘଟଣା ପରେ କମିସନରେଟ ପୁଲିସ ଅଧିକ ସତର୍କ ହୋଇଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଯୁବକଜଣକ କିଛି ମାସ ହେବ ଭୁବନେଶ୍ୱରର ୟୁନିଟ-୬ ଅଂଚଳର ଏକ ଭଡ଼ା ଘରେ ରହୁଥିଲା । ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା । ଏହା ବାବଦରେ ଇମ୍ରାନ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିବା କୁହାଯାଇଛି ।
ଏପରିକି ତାର କେତେକ ଆତଙ୍କୀ ସଂଗଠନ ସହ ସମ୍ପର୍କ ଥିବା ଜଣାପଡ଼ିଛି । ଯୁବକଜଣକ କେଉଁ ଉଦେ୍ଦଶ୍ୟରେ ଏପରି ଦେଶଦ୍ରୋହ କାର୍ଯ୍ୟ କରୁଥିଲା ତାହା ନେଇ ଦିଲ୍ଲୀ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି । ଘଟଣା ପଛରେ ଅନ୍ୟ କେଉଁମାନେ ଜଡ଼ିତ ରହିଛନ୍ତି କି ନାହିଁ ତାହା ନେଇ ମଧ୍ୟ ପୁଲିସ ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମ, ଫେସବୁକ, ହ୍ୱାଟସଆପ ଏବଂ ସିଗନାଲ ଭଳି ପ୍ଲାଟଫର୍ମରେ ଦେଶଦ୍ରୋହୀ ମନ୍ତବ୍ୟ ଦେବା ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଦଳ ଏକ ସପ୍ତାହ ପୂର୍ବେ ଦିଲ୍ଲୀରୁ କିଛି ଯୁବକଙ୍କୁ ଉଠାଇ ନେଇଥିଲା । ସେମାନଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟଗୁଡ଼ିକର ପଚରାଉଚରା ଏବଂ ବିଶ୍ଲେଷଣ ସମୟରେ ଟିମ ଓଡ଼ିଶାର ଏକ ଲିଙ୍କ ପାଇଥିଲା ।
ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପ୍ରିଲ ୧୦ତାରିଖରେ କମିସନରେଟ ପୁଲିସ ଶେଖ ଇମ୍ରାନଙ୍କୁ ଭୁବନେଶ୍ୱରର ୟୁନିଟ-୬ ଅଂଚଳରୁ ଗିରଫ କରିଥିଲା ।