ଭ୍ରଷ୍ଟାଚାର ବିରୋଧରେ ଶ୍ୱେତପତ୍ର ଆସିବ : ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆଉ ମାତ୍ର କେତେ ଦିନ ବାକି ।
ଶନିବାର ପଶ୍ଚିମବଙ୍ଗର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ବିରୋଧରେ ଏକ ଶାଣିତ ଆକ୍ରମଣ କରିଛନ୍ତି ।
ସେ କହିଛନ୍ତି ଯେ ବିଜେପି ପ୍ରତି ଜନସାଧାରଣଙ୍କ ବଢ଼ୁଥିବା ସମର୍ଥନ ଦେଖି ତୃଣମୂଳ କଂଗ୍ରେସ ଭୟ ପାଇ ଯାଇଛି । ବର୍ଦ୍ଧମାନ ଓ ଜଙ୍ଗିପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରି ସେ ଘୋଷଣା କରିଛନ୍ତି ଯେ ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ, ତେବେ ମହିଳାଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବା ସହ ରାଜନୈତିକ ହିଂସା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ବିଦା କରିବା ପାଇଁ ବିଜେପି ସରକା ଏକ ଶ୍ୱେତପତ୍ର ଜାରି କରିବ । କାରଣ ତୃଣମୂଳ କଂଗ୍ରେସ ଶାସିତ ସରକାର ଅମଳରେ ରାଜ୍ୟରେ ଚାଲିଥିବା ସିଣ୍ଡିକେଟ ରାଜକୁ ବିଜେପି ସରକାର ପର୍ଦ୍ଦାଫାଶ କରିବ ।
ଏଥି ସହିତ ରାଜନୈତିକ ହିଂସାର ତଦନ୍ତ ପାଇଁ ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିସନ ଗଠନ କରାଯିବ । ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଟିଏମସି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ବନ୍ଦ କରାଯିବ ନାହିଁ, ବରଂ ତାହାକୁ ଆହୁରି ଉନ୍ନତ ଓ ଦୁର୍ନୀତିମୁକ୍ତ କରାଯିବା ପ୍ରତି ଗୁରୁତ୍ୱ ଦିଆଯିବ । ରାଜ୍ୟରେ ସନେ୍ଦଶଖାଲି ଓ ଆରଜି କର ମାମଲା ଭଳି ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଙ୍ଗଳାର ଜନସାଧାରଣ ଟିଏମସିର ଗୁଣ୍ଡାଗର୍ଦ୍ଦିକୁ ସହ୍ୟ କରିବେ ନାହିଁ ।
ଜଙ୍ଗିପୁର ସଭାରେ ସେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ଏବଂ ଜାତୀୟ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ସଂକଳ୍ପ ନେଇଛନ୍ତି ।
ଟିଏମସି ବର୍ତମାନ ବାମପନ୍ଥୀ ମେଂଟର ଏକ ନକଲରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।