ପାୱାର ପ୍ଲାଂଟରେ ଅଘଟଣ, ୧୦ ମୃତ
ଛତିଶଗଡ଼ର ଏକ ପାୱାର ପ୍ଲାଂଟରେ ମଙ୍ଗଳବାର ବିସ୍ଫୋରଣ ଘଟି ଏକ ବଡ଼ ଧରଣର ଅଘଟଣ ଘଟିଥିବା ଜଣାପଡ଼ିଛି ।
ଏହି ଅଘଟଣରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୦ଜଣଙ୍କ ଜୀବନହାନୀ ଘଟିବା ସହ ୧୫ଜଣ ଆହତ ହୋଇଛନ୍ତି ।
ଶକ୍ତି ଜିଲାରେ ଥିବା ଏକ ଘରୋଇ କମ୍ପାନୀ ପାୱାର ପ୍ଲାଂଟରେ ବିସ୍ଫୋରଣ ଘଟିବାଦ୍ୱାରା ଏଭଳି ଜଣାପଡ଼ିଛି ।
ସାଧାରଣଙ୍କ ବକ୍ତବ୍ୟ ଯେ ବଏଲର ବିସ୍ଫୋରଣ ଯୋଗୁଁ ଏଭଳି ଅଘଟଣ ଘଟିଛି । ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସେହିପରି ଏହି ଅଘଟଣ ପ୍ରକୃତରେ ଅନ୍ୟ କୌଣସି କାରଣରୁ ହୋଇଛି କି ନାହିଁ ତାହା ନେଇ ପୁଲିସ ଓ ବିଶେଷଜ୍ଞ ଦଳ ତଦନ୍ତ ଚଳାଇଛି ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଘଟଣାକୁ ଅତ୍ୟନ୍ତ ବେଦନାଦାୟକ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯିବ ।
ଛତିଶଗଡ଼ କଂଗ୍ରେସ ସଭାପତି ଦୀପକ ବେଇଜ କହିଛନ୍ତି ଯେ ପ୍ଲାଂଟ ମ୍ୟାନେଜମେଂଟ ଓ ପ୍ରଶାସନର ଅବହେଳା କାରଣରୁ ଏଭଳି ଘଟିଛି । କ୍ଷମତାସୀନ ଦଳକୁ ଆକ୍ଷେପ କରି କହିଛନ୍ତି ଯେ ଏହା କୌଣସି ଦୁର୍ଘଟଣା ନୁହେଁ, ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ । ମୃତକଙ୍କ ପରିବାରକୁ ୧କୋଟି ଟଙ୍କା ଓ ଆହତଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।
ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ୨ଲକ୍ଷ ଟଙ୍କା (ଏକ୍ସ ଗ୍ରାସିୟା) ଦେବା ନିମନ୍ତେ ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଚିକିତ୍ସା ପାଇଁ ୫୦ହଜାର ଟଙ୍କା ଦିଆଯିବାର ଘୋଷଣା କରିଛନ୍ତି ।