ଅଶ୍ଲୀଳ ଶବ୍ଦ ବ୍ୟବହାର ହେଲେ କାର୍ଯ୍ୟାନୁଷ୍ଠାନ : ଆଇନ ମନ୍ତ୍ରୀ
ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ପାଇଁ ବିଶେଷ ସାବଧାନତା ଅବଲମ୍ବନ କରିବାର ବେଳ ଆସିଛି । କାରଣ ସାମାଜିକ ଗଣମାଧ୍ୟମ (ସୋସିଆଲ୍ ମିଡ଼ିଆ)ରେ ଯଦି କେହି ଅଶ୍ଲୀଳ ବା ଅପଶବ୍ଦ ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କାରଣ ସୋସିଆଲ୍ ମିଡ଼ିଆ ଉପରେ ବ୍ୟବହାର ହେଉଥିବା ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର ପ୍ରତି ରାଜ୍ୟ ସରକାର ଲଗାମ ନେବାକୁ ଯାଉଥିବା ଜଣାପଡ଼ିଛି ।
ଏ ନେଇ ସରକାର କଠୋର ଆଇନ ଆଣିବେ । ତେଣୁ ଯଦି କେହି ଏହାକୁ ଉଲଙ୍ଘନ କରନ୍ତି ବା ଅମାନ୍ୟ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରିଭେନସନ ଅଫ୍ ହେଟ ସ୍ପିଚ ଆଣ୍ଡ ହେଟ କ୍ରାଇମ ଆକ୍ଟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ସୋସିଆଲ୍ ମିଡ଼ିଆ (ସାମାଜିକ ଗଣମାଧ୍ୟମ) କ୍ରମଶଃ କୁତ୍ସିତ ହେବାକୁ ଆରମ୍ଭ କରିଛି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି ।
ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି ।
ଏପରିକି ସର୍ବସାଧାରଣଙ୍କ ସ୍ଥାନରେ ମନମୁତାବକ କାହାକୁ ଅପଶବ୍ଦ ବ୍ୟବହାର ଉପରେ ବି ରୋକ ଲଗାଯିବ ।
ଅଙ୍କୁଶ ଆଣିବା ପାଇଁ ଆଇନ କମିସନ ଏହାକୁ ଆଇନର ପ୍ରସ୍ତାବ ଦେଇଛନ୍ତି ବୋଲି ମନ୍ତ୍ରୀ ସୂଚାଇଛନ୍ତି ।