‘ଏଆଇ’ ଚିହ୍ନଟ କରିବ ହୃଦରୋଗ
ସଂପ୍ରତି ବୃଦ୍ଧି ପାଉଥିବା ହୃଦରୋଗ ସମସ୍ୟାର ସମାଧାନ ଦିଗରେ ଝାଡ଼ଖଣ୍ଡର ଆଇଆଇଟି ଧାନବାଦର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି ।
କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ଏସି ଏସ ରାଓଙ୍କ ନେତୃତ୍ୱରେ ‘ଇକୋପଲ୍ସ’ ନାମକ ଏକ ଅଭିନବ ପ୍ରଯୁକ୍ତିବିଦ୍ୟା ବିକଶିତ କରାଯାଇଛି, ଯାହା କ୍ରତିମ ବୁଦ୍ଧିମତା (ଏଆଇ) ଓ ଭର୍ଚୁଆଲ ରିଆଲିଟି (ଭିଆର)ର ଏକ ଅଦ୍ଭୁତ ମିଶ୍ରଣ । ଏହି ବିପ୍ଲବୀ ପ୍ରଯୁକ୍ତି ମାଧ୍ୟମରେ ହୃଦରୋଗର ଚିକିତ୍ସା କେବଳ ଦ୍ରୁତ ହେବ ନାହିଁ, ବରଂ ଏହା ଅଧିକ ସଠିକ ଓ ସ୍ୱଚ୍ଛ ହୋଇାପରିବ ।
ସାଧାରଣତଃ ଇକୋକାର୍ଡିଓଗ୍ରାଫି ରିପୋର୍ଟଗୁଡ଼ିକ ଅତ୍ୟନ୍ତ ଜଟିଳ ହୋଇଥିବାବେଳେ ଇକୋପଲ୍ସ ଏହି ତଥ୍ୟକୁ ସ୍ୱୟଂଚାଳିତ ଭାବେ ବିଶ୍ଲେଷଣ କରିଥାଏ । ଏହି ପ୍ରଯୁକ୍ତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ ଏହା ଡାକ୍ତରମାନଙ୍କୁ ଭର୍ଚୁଆଲ (ଦୃଶ୍ୟସଂଚାରୀ) ରିଆଲିଟି ମାଧ୍ୟମରେ ହୃଦୟର ଏକ ଥ୍ରି-ଡି ଚିତ୍ର ଦେଖିବାର ସୁଯୋଗ ଦେଉଛି, ଯାହା ରୋଗର ଗଭୀରତା ବୁଝିବାରେ ସହାୟକ ହେଉଛି । ମୋଟାମୋଟି ଭାବେ କହିବାକୁ ଗଲେ କୌଣସି ସମସ୍ୟା ହେବା ପୂର୍ବରୁ ଏହି ପ୍ରଣାଳୀଦ୍ୱାରା ହୃଦରୋଗକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ।
ଭାରତର ଗ୍ରାମାଂଚଳରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଥିବା ସମୟରେ ଏହି ପ୍ରଯୁକ୍ତିବିଦ୍ୟା ଏକ ସଞ୍ଜିବନୀ ସଦୃଶ୍ୟ ପ୍ରମାଣିତ ହେବ । ଇକୋପଲ୍ସ ବ୍ୟବହାର କରି ଦୁର୍ଗମ ଅଂଚଳରେ ଥିବା ସାଧାରଣ ସ୍ୱାସ୍ଥ୍ୟସେବା କର୍ମୀ କିମ୍ବା ଡାକ୍ତରମାନେ ମଧ୍ୟ ବିଶେଷଜ୍ଞଙ୍କ ଭଳି ରୋଗ ଚିହ୍ନଟ କରି ଜୀବନ ରକ୍ଷାକାରୀ ନିଷ୍ପତି ନେଇପାରିବେ ।
ଏହି ଉଦ୍ଭାବନର ଗୁରୁତ୍ୱକୁ ଉପଲବ୍ଧି କରି ନ୍ୟାସନାଲ ରିସର୍ଚ ଫାଉଣ୍ଡେସନ ଫର ରିସର୍ଚ (ଏଏନଆରଏଫ) ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୪୭ଲକ୍ଷ ଟଙ୍କାର ପାଣ୍ଠି ମଧ୍ୟ ମଞ୍ଜୁର କରାଯାଇଛି । ପ୍ରଫେସର ରାଓଙ୍କ ମୁଖ୍ୟ ଉଦେ୍ଦଶ୍ୟ ହେଉଛି ମେଡ଼ିକାଲ ଇମେଜିଂ ପ୍ରକ୍ରିୟାକୁ ଅଧିକ ଅନୁକୂଳ କରବା ଏବଂ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ।
ଭବିଷ୍ୟତରେ ଏହି ନବସୃଜନ କେବଳ ଭାରତରେ ହୃଦରୋଗର ବୋଝ ହ୍ରାସ କରିବ ନାହିଁ, ବରଂ ବିଶ୍ୱ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାତର ପ୍ରତିଷ୍ଠାକୁ ଏକ ନୂତନ ଶିଖରରେ ପହଂଚାଇବାରେ ଏକ ପ୍ରମୁଖ ମାଇଲଖୁଂଟ ସାଜିବ ବୋଲି ଆଶା କରାଯାଉଛି ।