ଥରକେ ୫୦ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା
ସମୁଦ୍ର ପଥରେ ତେଲ ଆମଦାନୀ ବାଧାପ୍ରାପ୍ତ ହେଉଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ଦେଖାଦେଇ ନାହିଁ । ତଥାପି ବଜାରରେ ତେଲ ମହଜୁଦକାରୀଙ୍କ ଉପରେ ଲଗାମ କଷିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି ।
ଓଡ଼ିଶାରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ (ଏମଏସ) ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ ଡିଜେଲ (ଏଚଏସଡି) ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏହି ନିୟମ ଲାଗୁ କରିବା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ କରାଯାଇଛି ।
ଭୁବନେଶ୍ୱର ଆରଏସଏ (ରିଟେଲ ସେଲ୍ସ ଏରିଆ)ର ବିକ୍ରି ଅଧିକାରୀଙ୍କ ଦ୍ୱାରା ଏକ ନୋଟିସ ଇଣ୍ଡିଆନ ଅଏଲର ଏକ ପେଟ୍ରୋଲ ପମ୍ପରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଯଦି କୌଣସି ପେଟ୍ରୋଲ ପମ୍ପ ଏହି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି ।
ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏକକାଳୀନ ବିପୁଳ ପରିମାଣର ତେଲ ବିକ୍ରିକୁ ଏଡାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଏବଂ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଏହା ଉପରେ ନଜର ରଖିଥିବା କୁହାଯାଇଛି । ତେବେ କମ୍ପାନୀର ସ୍ପଷ୍ଟୀକରଣ ଓ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଥିବା ପରିଲକ୍ଷିତ ହୁଏ ।
ଏହି କଟଣାକୁ ନେଇ ଇଣ୍ଡିଆନ ଅଏଲର ଓଡ଼ିଶା ସିଜିଏମ କମଲ ଶୀଲ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ ତେଲ ବିକ୍ରି ଉପରେ କୌଣସି କଟକଣା ନାହିଁ । କେବଳ ଅସାଧୁ ବ୍ୟବସାୟୀଙ୍କଦ୍ୱାରା ହେଉଥିବା ମହଜୁଦକାରୀ ବା କଳାବଜାରୀ ଉପରେ ଲଗାମ କଷିବାକୁ ଏଭଳି ନିଷ୍ପତି ନିଆଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ତେଲ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । ସାଧାରଣତଃ କୌଣସି ଛୋଟ ଗାଡ଼ିର ଟାଙ୍କିରେ ଏକାଥରକେ ୫୦ ଲିଟର ପେଟ୍ରୋଲ କିମ୍ବା ୫୦୦ ଲିଟର ଡିଜେଲ ପଡ଼ିପାରିବ ନାହିଁ ।
କେବଳ ବଡ଼ ଟ୍ୟାଙ୍କରଗୁଡ଼ିକ ଏତେ ପରିମାଣର ତେଲ ନେଇଥାନ୍ତି । ତେଣୁ ଏହି କଟକଣା ସହ ସାଧାରଣ ଗ୍ରାହକଙ୍କର କୌଣସି ସମ୍ପର୍କ ନାହିଁ ।
ସେଦୃଷ୍ଟିରୁ ସାଧାରଣଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ ।