ପଂଚଭୂତରେ ବିଲିୀନ ଆଶା ତାଈ
ପ୍ରଧାନମନ୍ତ୍ରୀ ମୋଦି କଲେ ଶେଷ ଦର୍ଶନ
ମର୍ଯ୍ୟାଦାପୂର୍ଣ୍ଣ ଦାଦା ସାହେବ ଫାଲକେ ପୁରସ୍କାର ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବା ବରିଷ୍ଠ ଗୀତିକାର ଆଶା ଭୋସଲେ ବା ଆଶା ତାଈଙ୍କ ସୋମବାର ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯାଇଛି ।
ଏହି ଅବସରରେ ସୋମବାର ଆଶା ତାଈଙ୍କ ମୁମ୍ବାଇସ୍ଥିତ କାସା ଗ୍ରାଣ୍ଡେ ବାସଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଶିବାଜୀ ପାର୍କ ପର୍ଯ୍ୟନ୍ତ ନିଆଯାଇଥିଲା ।
ପରେ ସେଠାରେ ତାଙ୍କୁ ମୁ୍ମ୍ବାଇ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ, ଶିବସେନାର ଉଦ୍ଧବ ଠାକରେଙ୍କ ସମେତ ବଲିଉଡର ମେଗାଷ୍ଟାର ଅମିତାଭ ବଚନ, ରଣବୀର ସିଂହ, ଜ୍ୟାକି ଶ୍ରଫ, ରିତେଶ ଦେଶମୁଖ, ଉଦିତ ନାରାୟଣ ଏବଂ ମାଷ୍ଟର ବ୍ଲାଷ୍ଟର ତଥା ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ପ୍ରମୁଖ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହିତ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
ପୁଅ ଆନନ୍ଦ ଭୋସଲେ ମୁଖାଗ୍ନି ଦେଇଥିଲେ ।
ସୂଚନାଥାଉ କି, ମହାରାଷ୍ଟ୍ରର ସାଙ୍ଗଲିରେ ୧୯୮୩ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରଖ୍ୟାତ ସଂଗୀତକାର ଆଶା ଭୋସଲେ ତାଙ୍କ ଜୀବନକାଳ ମଧ୍ୟରେ ୮୨ ବର୍ଷ ପର୍ଯ୍ୟନ୍ତ ସୁଲଳିତ କଣ୍ଠରେ ଗୀତ ଗାଇଥିଲେ ।
ସେ ୧୯୪୯ ମସିହାରେ ଗଣପତି ଭୋସଲେଙ୍କୁ ପ୍ରଥମ ଓ ୧୯୮୦ ମସିହାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଆର୍.ଡି.ବର୍ମନଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।
ତାଙ୍କର ହେମନ୍ତ ଭୋସଲେ, ବର୍ଷା ଭୋସଲେ ଏବଂ ଆନନ୍ଦ ଭୋସଲେ ସନ୍ତାନ ସନ୍ତିତି ଅଛନ୍ତି । ସେ ଦେଶର ଅନ୍ୟତମ ପ୍ରଖ୍ୟାତ ସଂଗୀତଜ୍ଞ ଲତା ମଙ୍ଗେସକର ଏବଂ ଉଷା ମଙ୍ଗେସକରଙ୍କ ଭଉଣୀ ଅଟନ୍ତି ।
ସେ ମରାଠୀ, ଭୋଜପୁରୀ, ହିନ୍ଦୀ ଏବଂ ଓଡ଼ିଆ ସମେତ ୧୫ଟି ଭାଷାରେ ପ୍ରାୟ ୧୨ ହଜାରରୁ ଅଧିକ ଗୀତ ଗାଇ ଭାରତୀୟଙ୍କ ସମେତ ବିଶ୍ୱବାସୀଙ୍କ ହୃଦୟ ଜିତିପାରିଥିଲେ ।
ଆଶା ତାଈଙ୍କୁ ୯ ଥର ଫିଲ୍ମ ଫେୟାର ଆୱାର୍ଡ ସମେତ ୧୦୦ ଅଧିକ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ତାଙ୍କ କଣ୍ଠରେ ଏକଦା ଶୁଭିଥିବା ‘ଚୁରା ଲିୟା ହୈ ତୁମନେ ଜୋ ଦିଲ୍ କୋ’, ‘ୱ ହସୀନା ଜୁଲ୍ଫୋୱାଲି’, ‘ୟେ ମେରେ ଦିଲ’ ଭଳି ଶତାଧିକ ଗୀତ ଆଜି ବି ଲୋକପ୍ରିୟ ରହିଛି ।