ତହସିଲଦାରଙ୍କୁ ହତ୍ୟା ଉଦ୍ୟମ!
ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ସଂପ୍ରତି ସାଧାରଣରେ ଚର୍ଚାର ପ୍ରସଙ୍ଗ ପାଲଟିଛି ।
ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହାସପାତାଳରେ ଭର୍ତି କରାଯାଇଛି । ଲଘୁ ଖଣିଜ ଲୁଟ ହେଉଥିବା ନେଇ ଖବର ପାଇ ଚଢ଼ଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିିଲଦାରଙ୍କ ଉପରେ ଦୁର୍ବୃତମାନେ ଟ୍ରାକ୍ଟର ଚଢ଼ାଇ ଦେବା ଉଦ୍ୟମ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ ବ୍ୟାସନଗର ତହସିଲ ଅଧିନ ମୀନାବଜାର ଛକ ନିକଟରେ ଥିବା ଏକ ପୋଖରୀକୁ ଖନନ କରି କିଛି ଦୁର୍ବୃତ ବେଆଇନ୍ ଭାବେ ମାଟି ଲୁଟି ନେଉଥିଲେ । ଏ ନେଇ ଖବର ପାଇବା ପରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ସଦଳବଳେ ସେଠାରେ ପହଂଚିଥିଲେ । ହେଲେ ମାଟି ଲୁଟ କରୁଥିବା ମାଫିଆମାନେ ତହଦିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି ।
ଗୁରୁତର ଅବସ୍ଥାରେ ତହସିଲଦାରଙ୍କୁ ଉଦ୍ଧାର କରାଯାଇ କୋରେଇ ମେଡ଼ିକାଲରେ ଭର୍ତି କରାଯାଇଛି ।
ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ସହ ଜଡ଼ିତ ଅଭିଯୁକ୍ତମାନଙ୍କୁ ଧରିବା ଓ ବ୍ୟବହୃତ ମେସିନ ଜବତ କରିବା ପାଇଁ ଚେଷ୍ଟା ଚାଲିଥିବା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅବୈଧ ମାଟି ଖନନ ସମେତ ବିବିଜିନ୍ନା ସମୟରେ ଲଘୁଖଣିଜ ଚୋରା କାରବାର ଓ ବେଆଇନ ପରିବହନକୁ ନେଇ ଏପରି ଆକ୍ରମଣ କରାଯିବା ଦୁର୍ଭାଗ୍ୟଜନକ ବୋଲି ଏଡିଏମ ଶ୍ରୀ ନନ୍ଦ କହିଛନ୍ତି ।