ମେ ପହିଲାରୁ ଭିତରକନିକା ବନ୍ଦ
ମେ ପହିଲା (୧ତାରିଖ)ରୁ ଭିତର କନିକା ଜାତୀୟ ଉଦ୍ୟାନ କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବ, ଯାହାକି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ।
ଏହି ସମୟରେ ବଉଳା କୁମ୍ଭୀରମାନେ ସାଧାରଣତଃ ହିଂସ୍ର ହୋଇଥାଆନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୁ ବିଚାର କରି ତିନିମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଓଁକର କହିଛନ୍ତି ।
ତାଙ୍କର ବକ୍ତବ୍ୟ ଯେ ଏହି ବନ୍ଦର ମୁଖ୍ୟ କାରଣ ହେଉଛି ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ।
ତେଣୁ ନଦୀ ଓ ନାଳମାନଙ୍କରେ କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ । ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ଯେପରି କୌଣସି ବାଧା ନ ସୃଷ୍ଟିହୁଏ ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନଟି ବନ୍ଦ ରଖାଯିବ ।
ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟନଙ୍କ ଭିଡ଼ ହୋଇଥାଏ ।
ବିଶେଷ କରି ବଉଳା କୁମ୍ଭୀର ଦେଖିବା ଏବଂ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ନିମନ୍ତେ ଏଠାକୁ ପର୍ଯ୍ୟଟକ ଭିଡ଼ କରିଥାଆନ୍ତି । କିନ୍ତୁ କୁମ୍ଭୀର ପ୍ରଜନନ ନିମନ୍ତେ ଏହି ତିନିମାସ ବନ୍ଦ ରଖାଯିବା ନିଷ୍ପତି ହୋଇଛି ।