ଉନ୍ନତ ବିଦ୍ୟୁତ ସେବା ପାଇଁ ୧୦ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ
ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ପୂରଣ ପାଇଁ ବିଦ୍ୟୁତ ସେବା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆବଶ୍ୟକତା ରହିଛି ।
ବିଦ୍ୟୁତ କ୍ଷେତ୍ରରେ ଉନ୍ନତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ ଓ ହରିଆଣା ପ୍ରଭୃତି ରାଜ୍ୟ ସହିତ ସମକକ୍ଷ ହେବା ପାଇଁ ଓଡ଼ିଶା ବିଦ୍ୟୁତରେ ବ୍ୟାପକ ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗଠନର ୩୦ବର୍ଷ ପୂରଣ ହୋଇଥିଲେ ବି ବିଦ୍ୟୁତ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ କୌଣସି ଅଧିନିୟମ ନଥିଲା ।
ଫଳ ସ୍ୱରୂପ ସରକାର ନିବେଶ କରୁଥିବା ପୁଞ୍ଜିର ପ୍ରବଳ ମାତ୍ରାରେ ଅପବ୍ୟବହାର ହେଉଥିଲା । ପୁଞ୍ଜିନିବେଶ, ଭିତିଭୂମି ନିର୍ମାଣ, ଉପଭୋକ୍ତା ସଂଖ୍ୟା, ଭରସାଯୋଗ୍ୟ ବିଦ୍ୟୁତ ସେବା ଏବଂ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର କ୍ଷେତ୍ରରେ ଉନ୍ନତ ରାଜ୍ୟଗୁଡ଼ିକର ବହୁତ ଅଗ୍ରଗତି କରିଥିବାବେଳେ ଓଡ଼ିଶା ଅନେକ ପଛରେପଡ଼ିଛି ।
ବିଦ୍ୟୁତ ସେବା କ୍ଷେତ୍ରରେ ପୁଞ୍ଜିକୁ ଉତ୍ସାହିତ କରିବା ପାଇଁ ଓଇ ଆରସି ଏକ ଛଅ ଜଣିଆ ବିଶେଷଜ୍ଞ ଦଳର ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଇଆରସି ସଭ୍ୟ ସୁଶାନ୍ତ ରାୟ ମହାପାତ୍ର, ବିଶ୍ୱଜିତ ମହାନ୍ତି, ଓଇଆରସି ସଚିବ ଉପେନ୍ଦ୍ର ନାଥ ପତି, ଗ୍ରୀଡ଼କୋର ପୂର୍ବତନ ଅର୍ଥ ନିର୍ଦେଶକ ବିଭୂପ୍ରସାଦ ମହାପାତ୍ର, ପୂର୍ବତନ ବିଦ୍ୟୁତ ଲୋକପାଳ ସୁକାନ୍ତ ସ୍ୱାଇଁ, ଉପଦେଷ୍ଟା କମିଟି ସଭ୍ୟ ଶିବଦତ ଭଞ୍ଜ, ଶକ୍ତି ପରାମର୍ଶଦାତା ବିଭୂ ସ୍ୱାଇଁ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏବଂ ଓଇଆରସି ନିର୍ଦେଶକ ମଣ୍ଡଳି ଉପସ୍ଥିତ ଥିଲେ ।
ସରକାର ବଜେଟରୁ ମଞ୍ଜୁର କରୁଥିବା ପୁଞ୍ଜିନିବେଶ ଅର୍ଥ ଉପରେ ବିଦ୍ୟୁତ ନିଗମ ଓ କମ୍ପାନୀଗୁଡ଼ିକ ରିଟର୍ଣ୍ଣ ଅନ ଇକ୍ୱିଟି (ଆରଓଇ) ପାଇବାକୁ ଜାତୀୟ ଟାରିଫ ନୀତିରେ ବାରଣ ହୋଇଥିଲେ ବି ତାହାକୁ ଓଇଆରସି ସ୍ୱୀକୃତି ଦେଇଛନ୍ତି । ଏଥିପାଇଁ ବିଦ୍ୟୁତମୂଲ୍ୟ ବୃଦ୍ଧି ପାଉଛି । ତେଣୁ କେନ୍ଦ୍ରୀୟ ନୀତି ଅନୁସାରେ ଚିଠା ଅଧିନୟମକୁ ସଂଶୋଧନ କରିବା ପାଇଁ ବୈଠକରେ ପ୍ରସ୍ତାବ ରଖାଯାଇଛି ।
ସିଇଏ ରିପୋର୍ଯ ଅନୁଯାୟୀ ଓନିଶାର ନିରାଶାଜନକ ବିଦ୍ୟୁତସେବା ପାଇଁ ଦୁର୍ବଳ ଭିତିଭୂମି ମୁଖ୍ୟ କାରଣ ଉପରେ ମଧ୍ୟ ଆଲୋଚନା ହୋଇଥିବାବେଳେ ବାର୍ଷିକ ୧୦ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ଦିଆଯାଇଛି । ବିକଶିତ ଓଡ଼ିଶା ୨୦୨୬ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଦ୍ୟୁତ ସେବା ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ବିଦ୍ୟୁତ କ୍ଷେତ୍ରରେ ଭିତିଭୂମି ବିକାଶ ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ଓ ଯନ୍ତ୍ରପାତିଗୁଡ଼ିକର ବେଂଚମାର୍କ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ଜାତୀୟ ବିଦ୍ୟୁତ ନୀତିରେ ରାଜ୍ୟ ବିଦ୍ୟୁତ ଆୟୋଗଙ୍କୁ ଦାୟିତ୍ୱ ଦିଆଯାଇଛି । ଅଥଚ ଆୟୋଗ ଚିଠା ଅଧିନୟମରେ ରାଜ୍ୟ ସରକାରଙ୍କୁ ସେହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
ଏହାକୁ ସଂଶୋଧନ କରି ଜାତୀୟ ବିଦ୍ୟୁତନୀତିକୁ ଲାଗୁ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ସେହିପରି ପୁଞ୍ଜିନିବେଶ ଅଧିନୟମକୁ ସ୍ୱାଗତ କରିବା ସହିତ ବିଦ୍ୟୁତ ଭିତିଭୂମିକୁ ଶକ୍ତିଶାଳୀ କରିବା ପାଇଁ ବୈଠକରେ ମତାମତ ପ୍ରକାଶ ପାଇଛି ।