ବାଇକରେ ବସି ମମତାଙ୍କ ଭୋଟ ପ୍ରଚାର
ଆଗାମୀ ୨୯ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ।
ଏଥି ନିମନ୍ତେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ଚାଲିଛି । ଶନିବାର ଦମଦମ ଉତର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ଭୋଟ ପ୍ରଚାରରେ ଦଳନେତ୍ରୀ ମମତା ବାନାର୍ଜୀ ଏକ ବାଇକରେ ବସି ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା ।
ମମତାଙ୍କୁ ବାଇକରେ ଦେଖି ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଜନତାଙ୍କ ‘ଦିଦି’ ‘ଦିଦି’ ଚିକ୍ରାର ସତେ ଯେପରି ସେହି ପାଂଚବର୍ଷର ପୁରୁଣା ସ୍ମୃତିକୁ ମନେ ପକାଇ ଦେଇଥିଲା । କାରଣ ୨୦୧୧ ମସିହା ଫେବୃଆରୀ ମାସରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଜାଳେଣିର ମୂଲ୍ୟବୃଦ୍ଧି ପ୍ରତିବାଦରେ ସୁଶ୍ରୀ ବାନାର୍ଜୀ ଏକ ବାଇକରେ ବସି ବିରୋଧ ସ୍ଲୋଗାନ ଦେଇଥିଲେ । ଶେଷ ପର୍ଯ୍ୟାୟ ମତଦାନ ଆଉ ମାତ୍ର ତିନିଦିନ ବାକି, ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଦଳୀୟ ପ୍ରଚାର ସାଧାରଣଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଛି ।
ଦମଦମ ଉତର କ୍ଷେତ୍ରର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ସମର୍ଥନରେ ସୁଶ୍ରୀ ବାନାର୍ଜୀ ରୋଡ଼ ଶୋ କରିବା ସହ ବାଇକ ରାଲିରେ ମଧ୍ୟ ଯୋଗ ଦେଇଥିଲେ । ଶହଶହ ବାଇକ ବିରାଟି ବଣିକ ମୋଡ଼ରୁ ବାହାରି ବିରାଟି ମୋଡ଼ (ଛକ) ପର୍ଯ୍ୟନ୍ତ ଯାଇଥିଲା ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ସମୟ ପଦଯାତ୍ରା କରିବା ପରେ ଜଣେ ସମର୍ଥକଙ୍କ ବାଇକରେ ବସି ବାକି ରାସ୍ତା ଅତିକ୍ରମ କରିଥିଲେ । କହିବା ବାହୁଲ୍ୟ ଯେ ମମତାଙ୍କ ଜନସଂଯୋଗ ଅର୍ଥ ଭିନ୍ନ ଏକ ଚମକ ସାଧାରଣଙ୍କ ମନରେ ସୃଷ୍ଟି କରିଥାଏ । କେତେବେଳେ ଚାଲି ଚାଲି ରାସ୍ତା ଅତିକ୍ରମ କରନ୍ତି ତ, ଆଉ କେତେବେଳେ ସମର୍ଥନଙ୍କ ଗହଣରେ ରହି ସ୍ଲୋଗାନ ଦେଇଥାଆନ୍ତି । ଆଉ ପୁଣି କେତେବେଳେ ବାଇକରେ ବସି ବିଶାଳ ର୍ୟାଲିର ନେତୃତ୍ୱ ନେଇଥାଆନ୍ତି ।
ତାଙ୍କର ଜୋରଦାର ଭାଷଣ ଓ ସ୍ଲୋଗାନ ସାଧାରଣ ଜନତାଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ ।