ଅନୁଗୋଳ ପୋକ୍ସୋ କୋର୍ଟଙ୍କ ବଡ଼ ରାୟ
ନାବାଳିକା ଦୁର୍ଷ୍କମୀକୁ ଫାଶୀ ଦଣ୍ଡ
୨୦୨୫ ମସିହାରେ ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଅନୁଗୋଳ ପୋକ୍ସୋ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏହି ମାମଲାର ଅଭିଯୁକ୍ତକୁ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ୨୦୨୫ ମାର୍ଚ୍ଚ ୧୪ ତାରିଖରେ ଅନୁଗୋଳର ନିଶା ଶିଳ୍ପାଂଚଳ ଥାନା ଅଂଚଳରେ ଜଣେ ୪ ବର୍ଷ ୧୦ ମାସର ନାବାଳିକାକୁ ନରପିଶାଚ ତଥା ଅଭିଯୁକ୍ତ ବାବୁଲା ଜେନା ଦୁଷ୍କର୍ମ ପରେ ହତ୍ୟା କରିଥିଲା ।
ଘର ଆଗରେ ନାବାଳିକାଟି ଖେଳୁଥିବାବେଳେ ବାବୁଲା ତାକୁ ମୋବାଇଲ ଦେଖାଇବା ବାହାନାରେ ଘରକୁ ନେଇ ଦୁଷ୍କର୍ମ କରି ଅତି ନୃଶଂସ ଭାବେ ତଂଟି ଚିପି ହତ୍ୟା କରିଥିଲା ।
ପୀଡ଼ିତା ନାବାଳିକାର ପରିବାର ପକ୍ଷରୁ ଶିଳ୍ପାଂଚଳ ଥାନାରେ ଏନେଇ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ବାବୁଲାକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
ଏହି ମାମଲାର ଶୁଣାଣି କରି ଡିଏନଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଏହାକୁ ଏକ ବର୍ବରୋଚିତ କାଣ୍ଡ ଦର୍ଶାଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ମାନ୍ୟବର ପୋକ୍ସୋ କୋର୍ଟ ବାବୁଲାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।