ପ୍ରଖ୍ୟାତ ପ୍ରକାଶକ ଗୋବିନ୍ଦ ଚରଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ
ନିଜର ସଂସ୍କୃତି, ମାତୃଭାଷା ଓ ମାଟି ପ୍ରତି ଥିବା ମିଠା ଅହଂକାରକୁ ହିଁ ଅସ୍ମିତା କହନ୍ତି : ସୌମ୍ୟରଂଜନ
ଗତ ଗୁରୁବାର କଟକସ୍ଥିତ ଶାରଳା ଭବନଠାରେ ବାଲୁବଜାର ବିନୋଦି ବିହାରୀରର ପ୍ରଖ୍ୟାତ ପ୍ରକାଶକ ଗୋବିନ୍ଦ ଚରଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ଜାତୀୟ ମାନବାଧିକାର ଆୟୋଗ ସଦସ୍ୟ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଢ଼ଙ୍ଗୀ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥ ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ନିଜର ସଂସ୍କୃତି, ମାତୃଭାଷା ଓ ମାଟି ପ୍ରତି ଥିବା ମିଠା ଅହଂକାରକୁ ହିଁ ଅସ୍ମିତା କହନ୍ତି ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ସାହିତି୍ୟକ ସହଦେବ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକା ଡ. ସୁଲୋଚନା ଦାସ, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସାହିିତି୍ୟକ ବିଜୟାନନ୍ଦ ସିଂହ ଏବଂ ସଭା ମୁଖ୍ୟ ଭାବେ ଜନ୍ମ ଶତବାର୍ଷିକୀ କମିଟିର ସଭାପତି ଡକ୍ଟର (ଇଂ) ପ୍ରଭାକର ସ୍ୱାଇଁ ପ୍ରମୁଖ ମଂଚାସୀନ ରହି ପ୍ରକାଶକ ଗୋବନ୍ଦ ଚରଣଙ୍କ ସାହିତ୍ୟକୃତୀ ଓ ସାହିତ୍ୟ ପୁସ୍ତକ ପ୍ରକାଶନରେ ତାଙ୍କର ଅବଦାନ ପ୍ରତି ନିଜ ନିଜର ସ୍ୱମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜନ୍ମ ଶତବାର୍ଷିକୀ କମିଟିର ଉପସଭାପତି ବାଳକୃଷ୍ଣ ପଣ୍ଡା, ବିଜୟ ଶଂକର ପାତ୍ର, ସାଧାରଣ ସମ୍ପାଦକ ସଂଜିତ କୁମାର ପଟ୍ଟନାୟକ, ସହ-ସମ୍ପାଦକ ବିଶ୍ୱଜ୍ୟୋତି ପାତ୍ର ଏବଂ କୋଷାଧ୍ୟକ୍ଷ ଇଂ. ସାର୍ଥକ ଶଙ୍କର ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଗୋବିନ୍ଦ ଚରଣ ପାତ୍ରଙ୍କ ଦ୍ୱାରା ପ୍ରକାଶିତ ଅନେକଗୁଡ଼ିଏ ପୁସ୍ତକ ଅତିଥିଗଣଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।