ଯୁଦ୍ଧ ସଂକଟ ଭିତରେ ଗ୍ୟାସ କଳାବଜାରୀ
୩୧ ଏଲପିଜି ସିଲିଣ୍ଡର ଜବତ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଭୟାବହ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତେଲ ଓ ରନ୍ଧନ ଏଲପିଜି ଗ୍ୟାସର ସଂକଟ ଦେଖାଦେଇଛି । ବିଶେଷ କରି ଏହି ମାସକ ଯୁଦ୍ଧ ଭିତରେ ଇରାନର ଅନେକ ତୈଳ ଭଣ୍ଡାର ଓ ଗ୍ୟାସ ଡିପୋ ଉପରେ ଆମେରିକା ବୋମାମାଡ଼ କରି ସେଗୁଡ଼ିକୁ ଜଳାଇ ଦେଇଛି ।
ସେହିପରି ପ୍ରତିଜବାବରେ ଇରାନ ମଧ୍ୟ ମଧ୍ୟପ୍ରାଚ୍ୟରେ ଥିବା କୁଏତ, ବାହାରିନ, ଜୋର୍ଡାନ, ଇସ୍ରାଏଲ, ସାଉଦି ଆରବ ଏବଂ ଓମାନ ଆଦି ଦେଶରେ ଥିବା ଗ୍ୟାସ ଡିପୋଗୁଡ଼ିକୁ ମିସାଇଲ ମାରି ଧ୍ୱଂସ କରିଦେଇଛି । ଏଣୁ ସାରା ବିଶ୍ୱ ଏବେ ସଂକଟରେ ପଡ଼ିଛି ।
ଏହାଦ୍ୱାରା ଭାରତ ମଧ୍ୟ ବହୁ ପ୍ରଭାବିତ ହୋଇଛି ।
ତେବେ ଏହି ସଂକଟର ସମୟରେ କେତେକ ଅସାଧୁ ଲୋକ ଗ୍ୟାସ ସିଲିଣ୍ଡର କଳାବଜାରୀ କରୁଥିବା ନଜିର ରହିଛି । ଆଜି ମାଲକାନଗିରିର ସୁନାବେଡ଼ା ଅଂଚଳରୁ ଜଣଙ୍କ ଘରେ ଏକାଧିକ ବେଆଇନ ଗ୍ୟାସ ସିଲିଣ୍ଡର ଗଚ୍ଛିତ ଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା ।
ମାଲକାନଗିରି ସଦର ମହାକୁମାରେ ଏକ ଘରେ ଜଣେ ଲୋକ ୩୧ଟି ଗ୍ୟାସଭର୍ତି ଏଲପିଜି ସିଲିଣ୍ଡର ଲୁଚାଇ ରଖିଥିବା ପୁଲିସ ଦେଖି ସେଗୁଡ଼ିକୁ ଜବତ କରିଥିଲା ।
ଏଥିସହ କେତେକ ଜଳଖିଆ ଦୋକାନ ଉପରେ ମଧ୍ୟ ଚଢ଼ଉ କରି ସେଠାରେ ମହଜୁଦ ଏଲପିଜି ସିଲିଣ୍ଡରଗୁଡ଼ିକୁ ପୁଲିସ ଜବତ କରିଛି ।