ଜଗଦ୍ଦଳରେ ବିଜେପି-ଟିଏମସି କର୍ମୀ ମୁହାଁମୁହିଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋମବାର ହେବାକୁ ଥିବା ସାଧାରଣ ସଭାର କିଛି ଘଂଟା ପୂର୍ବରୁ ରବିବାର ରାତିରେ ପଶ୍ଚିମବଙ୍ଗର ଉତର ୨୪ପ୍ରଗଣା ଜିଲାରେ ବ୍ୟାପକ ହିଂସାକାଣ୍ଡ ଘଟିଛି ।
ରିପୋର୍ଟ ଅନୁସାରେ ଜଗଦ୍ଦଳ ପୁଲିସ ଷ୍ଟେସନ ସମ୍ମୁଖରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥକଙ୍କ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ସୃଷ୍ଟି ହୋଇଥିଲା, ଯାହା ଫଳରେ ପଥର ଫିଙ୍ଗା, ବୋମାମାଡ଼ ଏବଂ ଗୁଳିଚାଳନା ହୋଇଥିଲା ।
ପ୍ରଧାନମନ୍ତ୍ରୀଭ୍କ ଗସ୍ତ ପାଇଁ ଲଗାଯାଇଥିବା ପତାକା ଏବଂ ପୋଷ୍ଟର ଚିରିବା ଯୋଗୁଁ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଜଗଦ୍ଦଳ ଅଂଚଳରେ ଟିଏମସି ସମର୍ଥକମାନେ ସେମାନଙ୍କ ପ୍ରଚାର ସାମଗ୍ରୀକୁ କ୍ଷତି ପହଂଚାଇଛନ୍ତି । ଆରୋପ ପ୍ରତ୍ୟାରୋପ ପରେ ଉଭୟ ଦଳର ସମର୍ଥକମାନେ ଥାନା ବାହାରେ ଜମା ହୋଇଥଲେ । ସେମାନଙ୍କ ଊଗ୍ର ଯୁକ୍ତିତର୍କ ହେବା ପରେ ଏହା ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା ।
ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ହଇରାଣ ହରକତ ହେବାକୁ ପଡ଼ିଥିଲା । ଭାଟପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଏବଂ ବିଧାୟକ ପବନ ସିଂଙ୍କ ଘର ଉପରେ ବୋମା ଫିଙ୍ଗାଯାଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ଫଳରେ ଅଂଚଳରେ ଆତଙ୍କ ଖେଳିଯାଇଛି । ଘଟଣାରେ ତିନିଜଣ ଆହତ ହୋଇଛନ୍ତି ।
ସେମାନଙ୍କୁ ଚିକିତ୍ସା ପାଇଁ ହାସପାତାଳରେ ଭର୍ତି କରାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିଗୁଡ଼ିକ ସମଗ୍ର ଅଂଚଳରେ ସତର୍କ ସୂଚନା ଜାରି କରିଛନ୍ତି ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜଗଦ୍ଦଳ ଏବଂ ଭାଟପଡ଼ାରେ ଅତିରିକ୍ତ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି ।
ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବର୍ତମାନ ଅଂଚଳରେ ଉତେଜନା ଲାଗି ରହିଛ । ପୁଲିସ ପକ୍ଷରୁ କଡ଼ା ମୁତୟନ ବ୍ୟବସ୍ଥା ହୋଇଛି ।