ମେ ୧ରୁ ବିଜେପିର ଜିଲାସ୍ତରୀୟ ପ୍ରଶିକ୍ଷଣ ଅଭିଯାନ
ଆସନ୍ତା ଶ୍ରମିକ ଦିବସ ଅର୍ଥାତ (ମେ ୧ତାରିଖ)ରୁ ରାଜ୍ୟର ୩୭ଟି ସାଂଗଠନିକ ଜିଲାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଜିଲାସ୍ତରୀୟ ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ହେବ ।
ଏ ନେଇ ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଦଳ ସୂତ୍ରରୁ ଜଣାପଡ଼ିଛି ଯେ ବୈଠକରେ ପାର୍ଟିର ସାଂଗଠନିକ ଦୃଷ୍ଟିକୋଣରୁ ବୁଥ କମିଟି ଠାରୁ ଆରମ୍ଭ କରି ମଣ୍ଡଳ କମିଟି ଓ ଜିଲା କମିଟି ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଦଳର ପ୍ରତିଷ୍ଠା ଦିବସ, ଆମ୍ବେଦକର ଜୟନ୍ତୀ ସହ ବିଭନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ପ୍ରାୟ ସଫଳତାର ସହ ସମାପ୍ତ ହୋଇସାରିଛି ଏବଂ ବର୍ତମାନ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।
ଆସନ୍ତା ମେ ୧ ତାରିଖରୁ ମାସ ଶେଷ ସୁଦ୍ଧା ୩୭ଟି ସାଂଗଠନିକ ଜିଲାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ବୈଠକରେ ରାଜ୍ୟ ପଦାଧିକାରୀ ଏବଂ ଜିଲା ପ୍ରଭାରୀମାନଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲା ପ୍ରଭାରୀ ଉପସ୍ଥିତ ଥିଲେ ।