ମାଲକାନଗିରି କୋର୍ଟ ପରିସରରେ ବୋମା ଆତଙ୍କ
ମାଲକାନଗିରି ଜିଲା କୋର୍ଟ ପରିସରରେ ଆଜି ଦେଖିବାକୁ ମିଛି ବୋମା ଆତଙ୍କ । ଏକ ଅଜ୍ଞାତ ଇ-ମେଲ ଜରିଆରେ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମଳିବା ପରେ ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।
ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରାଯାଇଥିବା ବେଳେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ତନାଘନା ଜାରି ରହିଛି ।
ସୂଚନା ଅନୁଯାୟୀ ଆଜି କୋର୍ଟ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସମୟରେ କର୍ତୃପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା ।
ଏହି ଇ-ମେଲରେ ତାମିଲନାଡ଼ୁ ଲିବରେସନ ଗ୍ରୁପ ପାମକ ଏକ ସଂଗଠନ ପକ୍ଷରୁ କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଏବଂ ଏହାକୁ ଉଡାଇ ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା ।
ଏହି ଖବର ପ୍ରଚାରିତ ହେବା ପରେ ଜିଲା ଜଜ୍ ଶାନ୍ତନୁ କୁମାର ଦାସ ତୁରନ୍ତ ସମସ୍ତ କର୍ମଚାରୀ ଓକିଲ ଏବଂ ମହିଳାମାନଙ୍କୁ କୋର୍ଟ ପରିସର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୁଲିସ ପହଂଚି କୋର୍ଟର କୋଣ ଅନୁକୋଣ ଯାଂଚ କରୁଛି ।
ସ୍ପେଶାଲ ବୋମା ସ୍କ୍ୱାର୍ଡ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି । ଏହି ଧମକ ପ୍ରକୃତରେ ସତ୍ୟ ନା କେହି ଦୁର୍ବୃତ ଭୟ ସୃଷ୍ଟି କରିବା ପାଇଁ ଏପରି କରିଛି । ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।
ବର୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନେ୍ଦହଜନକ ବସ୍ତୁ ମିଳି ନଥିଲେ ହେଁ, ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ଏବଂ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରାଯାଇଛି ।