୪୪ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ
ମହାରାଷ୍ଟ୍ରର ପାଲଘର ଜିଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି ।
ଜଣାପଡ଼ିଛି ଯେ ୪୪ଲକ୍ଷ ଟଙ୍କା ମୂଲ୍ୟରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି ।
ପୁଲିସ ଅଧିକ୍ଷକଙ୍କ କହିବା ମୁତାବକ ନିଶାଦ୍ରବ୍ୟ ଚାଲାଣ ସମ୍ପର୍କରେ ସୂଚନା ପାଇ ଗତକାଲି ସଫାଲାର ପଣ୍ଡିତପଡ଼ା ଅଂଚଳର ଏକ ଫ୍ଲାଟରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ୨୨୪.୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା ।
ନଗଦ ଏବଂ ପ୍ୟାକିଂ ସାମଗ୍ରୀ ସମେତ ଜବତ ସାମଗ୍ରୀର ମୋଟ ମୂଲ୍ୟ ୪୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ପୁଲିସ ଉତରାଖଣ୍ଡର ବାସିନ୍ଦା କୁଦବକ୍ସ ମହମ୍ମଦ ସାହିଦ (୩୮) ଏବଂ ଉତରପ୍ରଦେଶର ବାସିନ୍ଦା ହୀନା ଜମିଲ ଅହମ୍ମଦ (୩୫)ଙ୍କୁ ଗିରଫ କରିଛି । ଜଣେ ନାବାଳକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।
ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ମେ ୮ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଥିବାବେଳେ ନାବାଳକକୁ ସୁଧାର ଗୃହକୁ ନିଆଯାଇଛି ।