‘ଇଭି’ କିଣିଲେ ମିଳିବ ଟଙ୍କା !
‘ଇଭି’ ଗାଡ଼ି କ୍ରୟ କଲେ ମିଳିବ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ । ବିହାର ସରକାର ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଇଭି ନୀତି ୨୦୨୬କୁ ଅନୁମୋଦନ କରିଛନ୍ତି । ଏହି ନୀତିର ଲକ୍ଷ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଏବଂ ଅଧିକ ଲୋକଙ୍କୁ ବୈଦ୍ୟୁତିକ ଯାନବାହନ ଗ୍ରହଣ କରିବାକୁ ଉତ୍ସାହିତ କରିବା ।
ନୂତନ ନୀତି ଅନୁଯାୟୀ ମହିଳାମାନେ ଏକ ଇଲେକ୍ଟ୍ରିକ କାର କିଣିବା ପାଇଁ ୧ଲକ୍ଷ ପର୍ଯ୍ୟନ୍ତ ସବସିଡି ପାଇପାରିବେ । ଏକ ଇଲେକ୍ଟ୍ରିକ ସ୍କୁଟର କିଣିବା ପାଇଁ ସେମାନଙ୍କୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ମିଳିବ । ସରକାର ଆଶା କରୁଛନ୍ତି ଯେ ଏହା ମହିଳାମାନଙ୍ କମଧ୍ୟରେ ଇଲେକ୍ଟ୍ରିକ ଯାନବର ଚାହିଦା ଦ୍ରୁତ ଗତିରେ ବୃଦ୍ଧି କରିବ ।
ବିହାର ସରକାର ୨୦୩୦ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ବୈଦ୍ୟୁତିକ ଯାନବାହନ ବ୍ୟବହାର କରିବାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ହାସଲ କରିବା ପାଇଁ ସରକାର ସାଧାରଣ ଲୋକଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବା ସହଜ ଏବଂ ସୁଲଭ କରିବା ପାଇଁ ନିରନ୍ତର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ନୂତନ ଯୋଜନା ଅନୁଯାୟୀ ସାଧାରଣ ବର୍ଗର ବ୍ୟକ୍ତିମାନେ ଏକ ବୈଦ୍ୟୁତିକ ଦୁଇ ଚକିଆ ଯାନ କିଣିବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ । ଅନୁସୂଚିତ ଜାତି ଏବଂ ଜନଜାତିର କ୍ରେତାମାନେ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବେ । ସରକାର ଛୋଟ ବ୍ୟବସାୟ ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରିକ କାର୍ଗୋ ତିନି ଚକିଆ ଯାନ ଉପରେ ସବସିଡି ଘୋଷଣା କରିଛନ୍ତି ।
ସାଧାରଣ ବର୍ଗର ଲୋକମାନେ ଇ-ଲୋଡର କିଣିବା ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଏସସି/ଏସଟି ବର୍ଗର ଲୋକମାନେ ଇ-ଲୋଡର କିଣିବା ପାଇଁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବେ । ନୂତନ ଇଭି ନୀତି ଚାର୍ଜିଂ ଭିତିଭୂମିକୁ ସୁଦୃଢ଼ କରିବା ଉପରେ ମଧ୍ୟ ଧ୍ୟାନ ଦେବ ।
ଭବିଷ୍ୟତରେ ସହର ଏବଂ ରାଜପଥରେ ଅଧିକ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଇପାରେ, ଯାହାଦ୍ୱାରା ଇଭି ବ୍ୟବହାରକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ସରକାର ବିଶ୍ୱାସ କରନ୍ତି ଯେ ଇଭିର ଚାହିଦା ବୃଦ୍ଧି ପାଇବା ଦ୍ୱାରା ଅଟୋ ମୋବାଇଲ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ ।
ଏହା ଡିଲରସିପ, ସେବା କେନ୍ଦ୍ର ଏବଂ ଚାର୍ଜିଂ ନେଟୱାର୍କରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ଏବଂ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବାରେ ସକ୍ଷମ ହେବ ।