ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ୩ୟ ପର୍ଯ୍ୟାୟ ‘ଏସଆଇଆର’
ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଂଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (ଏସଆଇଆର) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦେଶ ଜାରି କରାଯାଇଛି ।
ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଦାରଣ କରାଯାଇଥିବା କମିସନ ସୂଚନା ଦେଇଛନ୍ତି । ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ ଦେଇ ଏହି ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିବ ।
ଏହି ତିନିଟି ଅଂଚଳରେ ପ୍ରତିକୂଳ ପାଣିପାଗ ଏବଂ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଅଲଗା ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ ।
ରାଜ୍ୟରେ ହେବାକୁ ଥିବା ଏହି ବ୍ୟାପକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୩୮ହଜାର ୧୨୩ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରେ ଘରେ ପହଂଚି ଭୋଟରଙ୍କ ତଥ୍ୟ ଯାଂଚ କରିବେ । ସେମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ୨୭ହଜାର ୭୨୩ଜଣ ବୁଥସ୍ତରୀୟ ଏଜେଂଟ (ବିଏଲଏ) ନିୟୋଜିତ ହୋଇଛନ୍ତି ।
ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥରେ ଜଣେ କରି ବୁଥସ୍ତରୀୟ ଏଜେଂଟ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ କମିସନ ଅନୁରୋଧ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ପ୍ରାୟ ୫୯କୋଟି ଭୋଟରଙ୍କ ତଥ୍ୟ ସଫଳତାର ସହ ସଂଶୋଧନ କରାଯାଇଥିଲା ।
ଏହି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ୬.୩ ଲକ୍ଷରୁ ଅଧିକ ବୁଥ ସ୍ତରୀୟ ଅଧିକାର (ବିଏଲଓ) ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୯.୨ ଲକ୍ଷ ବୁଥ ସ୍ତରୀୟ ଏଜେଂଟ (ବିଏଲଏ)ଙ୍କୁ ନିଯୁକ୍ତ କରାଯାଇଥିଲା ।