ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତି ଉତ୍ସବ ପାଳନ ପ୍ରସ୍ତୁତି
ଆଗାମୀ ଜୁନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାର ଦୁଇବର୍ଷ ପୂର୍ତି ହେବ ।
ଏହି ଅବସରରେ ଜୁନ ୧୨ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବାର ପ୍ରସ୍ତୁତି ଚାଲିଛି ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ ପାଳନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଉନ୍ନୟନ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଂଚାଇ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି । ଆଜି (ଗୁରୁବାର) ଏହା ନେଇ ଲୋକସେଭା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । ଏଥି ସହିତ ବ୍ୟାପକ ଭାବେ ଉତ୍ସବ ପାଳନ ବଦଳରେ ଦୁଇ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଆଗାମୀ ଜୁନ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜିଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବ ।
ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତ ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉକ୍ରର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା ଆଦି ଏହି ୭ଟି ପ୍ରସଙ୍ଗରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।
ଅନୁଷ୍ଠିତ ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ପୂର୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟମନ୍ତ୍ରୀଭ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।