ପଶ୍ଚିମବଙ୍ଗରେ ସରିଲା ପ୍ରଚାର, ୨୯ରେ ଭୋଟ
ସରକାର ଗଢ଼ିବୁ : ମୋଦି
ପଶ୍ଚିମବଙ୍ଗରେ ଆଜି ୨୭ ତାରିଖରେ ସରିଛି ପ୍ରଚାର । ଆଉ ୨୪ ଘଂଟା ବା ଦିନକ ପରେ ୨୯ ତାରିଖରେ ମତଦାନ କରିବେ ଭୋଟର ।
ଆଜି ପ୍ରଚାରର ଶେଷ ଦିନରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ବାରାପୁରରେ ଦଳୀୟ ନେତାଙ୍କ ପାଇଁ ଭୋଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଆଗାମୀ ନିର୍ବାଚନରେ ବିଜୟୀ ହୋଇ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବେହାଲାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ରୋଡ ସୋ’ କରିଛନ୍ତି ।
ସେହିଭଳି ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେପଟେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ୫୧୦ କୋଟି ଟଙ୍କାର ମଦ ଓ ଡ୍ରଗ୍ସ ଜବତ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଯାହାକି ୨୦୨୪ରେ ଜବତ ହୋଇଥିବା ୩୩୯ କୋଟି ଠାରୁ ଯଥେଷ୍ଟ ଅଧିକ ।
ଅନ୍ୟପଟେ କେବଳ ନିର୍ବାଚନ ନୁହେଁ ନ୍ୟାୟ ପାଇଁ ଲଢ଼ୁଛନ୍ତି ପଶ୍ଚିମବଙ୍ଗର ପାନିହାଟିରେ ଜଣେ ମା’ । ପଶ୍ଚିମବଙ୍ଗ ବିଜେପି ପ୍ରାର୍ଥୀ ତଥା ଆର୍.ଜି.କର ମେଡିକାଲ ପୀଡ଼ିତାଙ୍କ ମା’ ରତ୍ନା ଦେବନାଥଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ଯେଉଁ ମା’ ଦିନେ ଝିଅ ପାଇଁ କାନ୍ଦୁଥିଲେ ଆଜି ସେ ଅନ୍ୟ ପୀଡ଼ିତାଙ୍କ ସ୍ୱର ସାଜି ନିର୍ବାଚନକୁ ଓହ୍ଲାଇ ମତଦାତାଙ୍କୁ ତାଙ୍କୁ ଜିତାଇବାକୁ ଆହ୍ୱାନ ଦେଇଛନ୍ତି ।
ତାଙ୍କ ସମର୍ଥନରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରି ନିର୍ବାଚନୀ ଲଢ଼େଇକୁ ଆହୁରି ଶାଣିତ କରିଛନ୍ତି ।