୨୦୨୬ ଆଇପିଏଲରେ ସର୍ବନିମ୍ନ ସ୍କୋର
ଭୁବି ଓ ହାଜଲହୁଡଙ୍କ ଆଗରେ ଆଣ୍ଠେଇଲା ଡିସି
ଚଳିତ ବର୍ଷ ଆଇପିଏଲରେ ଏକ ଅଲୋଡ଼ା ରେକର୍ଡ କରିଛି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) । ଆଜି ଟୁର୍ଣ୍ଣାମେଂଟର ୩୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)ର ଦୁଇ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଓ ଜୋସ ହାଜାଲହୁଡଙ୍କ ଶାଣିତ ବୋଲିଂ ଆଗରେ ଆତ୍ମସର୍ମପଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ମ୍ୟାଚର ମୂଳରୁ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ସାହିଲ ପାରଖ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ବୋଲିଂରେ ବୋଲ୍ଡ ହୋଇଥିଲେ । ଏହାପରେ ପୂର୍ବ ମ୍ୟାଚରେ ଶତକ ମାରିଥିବା କେ.ଏଲ.ରାହୁଲ ମାତ୍ର ୧ ରନ କରି ହାଜଲହୁଡଙ୍କ ଶିକାର ହୋଇଥିଲେ । ଏହି ଓଭରରେ ହାଜଲହୁଡଙ୍କ ବୋଲିଂରେ ନିିତିଶ ରାଣା ୧ କରି ଆଉଟ ହୋଇଥିବାବେଳେ ସମୀର ରିଜଭି ମଧ୍ୟ ଖାତା ଖୋଲି ନପାରି ହାଜଲହୁଡଙ୍କ ତୃତୀୟ ଶିକାର ହୋଇଥିଲେ ।
ତେଣେ ଆରପଟୁ ବୋଲିଂର ମଙ୍ଗ ସମ୍ଭାଳିଥିବା ଭୁବନେଶ୍ୱର କୁମାର ମଧ୍ୟ ଚମକ୍ରାର ବୋଲିଂ କରି ଇନଫର୍ମ ବ୍ୟାଟ୍ସମ୍ୟାନ ଟି୍ରଷ୍ଟାନ ଷ୍ଟବସ ଓ ଅଧିନାୟକ ଅକ୍ଷର ପଟେଲଙ୍କୁ ଯଥାକ୍ରମେ ୫ ଓ ଶୂନ ରନ୍ରେ ଆଉଟ କରିଥିଲେ ।
ତେବେ ଗୋଟିଏ ପଟେ ୱିକେଟର ପତନ ହେଉଥିବାବେଳେ ଅଭିଷେକ ପୋରେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ସର୍ବାଧିକ ୩୦ ରନ ସଂଗ୍ରହ କରିପାରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୫ ରନ କରିପାରିଥିଲା ।
ଆରସିବି ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଜୋଶ ହାଜଲହୁଡ ୩.୩ ଓଭରରେ ୧୨ ରନ ଦେଇ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଭୁବନେଶ୍ୱର କୁମାର ୩ ଓଭରରେ ମାତ୍ର ୫ ରନ ଦେଇ ୩ଟି ୱିକେଟ ନେଇଥିଲେ ।
ସେହିପରି ଦଳ ପକ୍ଷରୁ ରୋମାରିଓ ସେଫାର୍ଡ, ସୁୟାସ ଶର୍ମା ଓ କୃଣାଳ ପାଣ୍ଡେ ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଜବାବରେ ଆରସିବି ୯ ୱିକେଟରେ ଏହି ମ୍ୟାଚକୁ ଅତି ଅନାୟାସରେ ଜିତିନେଇଥିଲା । ଦଳ ପକ୍ଷରୁ ଦେବଦତ ପାଡିକଲ ସର୍ବାଧିକ ୩୪ ରନ କରିଥିବାବେଳେ ଓପନର ଜ୍ୟାକବ ବ୍ୟାଥେଲ ଓ ବିରାଟ କୋହଲି ଯଥାକ୍ରମେ ୨୦ ଓ ୨୩ ରନର ଉପାଦେୟ ଇନିଂସ ଖେଳି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଦ୍ରୁତ ବୋଲର କେ.ନଟରାଜନ ଏକମାତ୍ର ୱିକେଟ ନେଇପାରିଥିଲେ ।
ଜୋଶ ହାଜଲହୁଡଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷିତ କରାଯାଇଥିଲା ।