ଧରା ହେଲେ ନକଲି ସିଆଇଡି
ରାଜଧାନୀ ଭୁବନେଶ୍ୱରରେ ନକଲି ସିଆଇଡି ଅଧିକାରୀ ହୋଇ ସାଧାରଣଙ୍କୁ ଲୁଟିବା ଓ ବୋମା ବନାଇବା ବିଷୟ ମହଙ୍ଗା ପଡ଼ିଲା ।
ମିଛ କହି ବ୍ଲାକମେଲ କରି ସିଆଇଡି ଅଧିକାରୀ ଭାବେ ପରିଚୟ ଦେଉଥିବା କେତେକ ନକଲଙ୍କୁ ପୁଲିସ ଧରିଛି ।
ଅଭିଯୋଗ ଯେ ନିଜକୁ ସିଆଇଡି ଅଧିକାରୀ ଭାବେ ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁଥିଲେ ଓ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲେ ।
ଶିକ୍ଷା ଅନୁଷ୍ଠାନରେ ପ୍ରବଳ ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରିବା ଏମାନଙ୍କ ମୁଖ୍ୟ କାର୍ଯ୍ୟ ଥିଲା । କେବଳ ଶିକ୍ଷାନୁଷ୍ଠାନ ନୁହେଁ, ବଡ଼ବଡ଼ ବ୍ୟବସାୟ କେନ୍ଦ୍ରରେ ମଧ୍ୟ ଏମାନେ ନିଜକୁ ସିଆଇଡ଼ି ଅଧିକାରୀ ଭାବେ ପରିଚୟ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି ।
ଜଣାପଡ଼ିଛି ଯେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ନାଲି ପତକା ମାରି ଟଙ୍କା ମାଗୁଥିବା ସମୟରେ ପୁଲିସ ପହଂଚି ଯାଇଥିଲା । ପୁଲିସର ବକ୍ତବ୍ୟ ଅନୁସାରେ ଯେଉଁ ଦଳ ନକଲି ସିଆଇଡ଼ି ଅଧିକାରୀ ଭାବେ ପରିଚୟ ଦେଉଥିଲେ, ସେମାନଙ୍କ ମଧ୍ୟରୁ ୪ଜଣ ମହିଳା ଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ପୂଜା ବେହେରା, ପ୍ରତିମା ପରିଡ଼ା, ଜେନାମଣି ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ, ମନୋଜ କୁମାର ମିଶ୍ର, ଅନ୍ନପୂର୍ଣ୍ଣା ପଣ୍ଡା, ନିଲୁ ନାୟକ ।
ପୁଲିସ ଏମାନଙ୍କୁ ଗିରଫ କରି ସବିଶେଷ ତଥ୍ୟ ଜାଣିବା ପାଇଁ ଜେରା ଜାରି ରଖିଥିବା ଜଣାପଡ଼ିଛି ।
ଏଭଳି ଘଟଣାରେ ଅନ୍ୟ କେହି ଜଡ଼ିତ ରହିଛନ୍ତି କି ନାହିଁ ସେ ସମ୍ବନ୍ଧରେ ପୁଲିସ ପଚରାଉଚରା କରୁଛି ।