ଧୁଳିସାତ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ସଦର ଦପ୍ତର
ଦିନକୁ ଦିନ ଚରମ ଆକାର ଧାରଣ କରୁଛି ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିିତି । ଶୁକ୍ରବାର ସିଧାସଳଖ ଇସ୍ରାଏଲ ଉପରେ ବଡ଼ ହାମଲା ଦାବି କରିଛି ଇରାନ ।
ତେହେରାନର ଦାବି ଯେ ତେଲ ଆବିବରେ ଇସ୍ରାଏଲର କୁଖ୍ୟାତ ଗୁଇନ୍ଦା ସଂସ୍ଥା ମୋସାଦର ସଦର ଦପ୍ତର ଉପରେ ସେମାନେ ହାମଲା ଚଳାଇଛନ୍ତି ।
ଇରାନର ସରକାରୀ ସମ୍ବାଦସଂସ୍ଥା ତସନିମ ନିୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଏହି ହାମଲାରେ ମୋସାଦ ଦପ୍ତରଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।
ସେହିପରି ଇରାନର ସାମରିକ ସୂତ୍ରକୁୁ ଉଦ୍ଧୃତ କରି ତସନିମ ନିୟୁଜ ପକ୍ଷରୁ କୁହାଯାଇଛି ଯେ ଏହା ଅତ୍ୟନ୍ତ ବିଧ୍ୱଂସୀ ଆକ୍ରମଣ ଥିଲା । ତେବେ ଖବର ସଂଗ୍ରହ କରାଯିବା ପର୍ଯ୍ୟନ୍ତ ଇସ୍ରାଏଲ କର୍ତୃପକ୍ଷଙ୍କ ପକ୍ଷରୁ ଏହି ଦାବି ସମ୍ପର୍କରେ ସ୍ୱୀକାର କିମ୍ବା ଅସ୍ୱୀକାର ଭଳି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ବିଶେଷଜ୍ଞଙ୍କ ବକ୍ତବ୍ୟ ଯେ ଇରାନର ଏହି ଦାବି ଯଦି ସତ୍ୟ ହୁଏ, ତେବେ ଇସ୍ରାଏଲର ନିରାପତା ବ୍ୟବସ୍ଥା ପାଇଁ ଏହା ଗୋଟିଏ ଶକ୍ତ ଧକ୍କା ହେବ । ଯାହାକି ନଜିରବିହୀନ ଆଘାତ କହିଲେ ଅତୁ୍ୟକ୍ତି ହେବ ନାହିଁ । ତେବେ ନିରପେକ୍ଷ କୌଣସି ଆନ୍ତର୍ଜାତିକ ଗଣମାଧ୍ୟମ ଏପର୍ଯ୍ୟନ୍ତ ଏହି ଘଟଣାର ସତ୍ୟତା ସମ୍ବନ୍ଧରେ ସଠିକ ତଥ୍ୟ ପାଇପାରି ନାହିଁ । କ୍ଷୟକ୍ଷତି ପରିମାଣ ମଧ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଅନ୍ୟପକ୍ଷରେ ଏହି ଉତେଜନାର ଛାୟା ସଂଯୁକ୍ତ ଆରବ ଅମିରଶାହିରେ ପଡ଼ିଥିବା ପରିଲକ୍ଷିତ ହୁଏ । ଆବୁଧାବି କର୍ତୃପକ୍ଷଙ୍କ ତରଫରୁ ଅବଗତ କରାଯାଇଛି ଯେ ଆକାଶପଥରେ ଉଡ଼ି ଆସିଥିବା ଏକ ମିସାଇଲକୁ ସେମାନେ ଆକାଶରେ ହିଁ ରୋକି ଦେଇଥିଲେ । ତେବେ ତାର ଧ୍ୱଂସାବଶେଷ ହ୍ୟବସନ ଗ୍ୟାସ କେନ୍ଦ୍ର ନିକଟରେ ପଡ଼ିଥିଲା । ଯାହାଦ୍ୱାରା କେନ୍ଦ୍ରରେ ନିଆଁ ଲାଗି ଯାଇଥିଲା ।
ଅମିରଶାହିର ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ନିରାପତାକୁ ଦୃଷ୍ଟିରେ ରଖି ଆପାତତଃ ଏହି ଗ୍ୟାସ କେନ୍ଦ୍ରରେ ସମସ୍ତ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।
କୌଣସି ମୃତାହତ ଘଟଣା ଜଣାପଡ଼ି ନାହିଁ । ସେହିପରି ଏହି ଡ୍ରୋନ୍ ମିସାଇଲ କିଏ ଏବଂ କାହିଁକି ପକାଇଲେ ସେ ବିଷୟ ମଧ୍ୟ ଅସ୍ପଷ୍ଟ ରହିଛି ।
ତେବେ ଏଗୁଡ଼ିକ ଇରାନ ଦ୍ୱାରା ପକାଇଯାଇଥିବା ଆବୁଧାବି ଅଭିଯୋଗ କରୁଛି ।