ରାହୁଳଙ୍କ ସହ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବୈଠକ ସ୍ଥଗିତ
ତାମିଲନାଡ଼ୁର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ବିଜୟଙ୍କର ଗୁରୁବାର କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁ ଗାନ୍ଧୀଙ୍କ ସହ ହେବାକୁ ଥିବା ବୈଠକ ସ୍ଥଗିତ ହୋଇଛି ।
ଜଣାପଡ଼ିଛି ଯେ ଗୁରୁବାର ସକାଳ ୧୦ଟାରେ ହେବାକୁ ଥିବା ଏହି ବୈଠକକୁ ବୁଧବାର ବିଳମ୍ବିତ ରାତିରେ ସ୍ଥଗିତ କରାଯାଇଛି ଏବଂ ଏହା ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ । ଏହାର ନେପଥ୍ୟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ମୁଖ୍ୟମନ୍ତ୍ରୀ ହେବା ପରେ ନିଜର ପ୍ରଥମ ଦିଲ୍ଲୀ ଗସ୍ତରେ ଆସିଥିବା ବିଜୟ ଏହା ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ରାଜ୍ୟର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ତାମିଲନାଡ଼ୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ମେଂଟ ସରକାର ଗଠନ କରିବା ପରେ ବିଜୟଙ୍କର ଏହା ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
ଆହୁରି ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ବିଜୟ କାବେରୀ ନଦୀ ଉପରେ କର୍ଣ୍ଣାଟକ ସରକାରଙ୍କ ପ୍ରସ୍ତାବିତ ‘ମେକେଦାତୁ ଡ୍ୟାମ’ ପ୍ରକଳ୍ପ ନେଇ କଡ଼ା ଆପତି ଜଣାଇଛନ୍ତି । ସେ କହିଛନ୍ତି ଯେ କର୍ଣ୍ଣାଟକର ଏହି ନିଷ୍ପତି ସୁପ୍ରିମ କୋର୍ଟଙ୍କ ନିର୍ଦେଶର ବିରୁଦ୍ଧ ଏବଂ ଏହାଦ୍ୱାରା ତାମିଲନାଡ଼ୁର ଚାଷୀମାନେ ବଡ଼ ସମସ୍ୟାର ସମ୍ମୁଖୀନ ହେବେ ।
ଏହା ସହିତ ଶ୍ରୀଲଙ୍କା ସେନାଦ୍ୱାରା ତାମିଲ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯିବା ପ୍ରସଙ୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ‘ତାମିଲ ଥାଇ ବାଜଥୁ’ (ରାଜ୍ୟ ସଂଗୀତ)କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବାବଦରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଦେଇଛନ୍ତି ।
ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ବିଜୟ ତାମିଲନାଡ଼ୁର କୋଏମ୍ବାଟୁର, ମଦୁରାଇ ଏବଂ ଇରୋଡ ଭଳି ପ୍ରମୁଖ ସହରରେ ମେଟ୍ରୋ ରେଳ ପ୍ରକଳ୍ପ ଏବଂ ଜାତୀୟ ରାଜପଥର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।