ଆଗକୁ ଡିଜେଲ ବୋଟ ବଦଳରେ ଇଭି-ବୋଟ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତୈଳ ସଂକଟ ଦେଖାଦେଇଛି । ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି ।
ଏବେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଉପରମୁହାଁ ହୋଇସାରିଛି ।
ମାତ୍ର ୧୦ ଦିନ ମଧ୍ୟରେ ୪ ଥର ପେଟ୍ରୋଲ ଓ ଡିଜେଲର ଦର ସରକାର ବଢ଼ାଇସାରିଲେଣି ।
ଏଣୁ ଏହାକୁ ଦେଖି ଆଗକୁ ଡିଜେଲ ବୋଟ ବଦଳରେ ଇଭି-ବୋଟ ଚଳାଇବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ।
ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ବୈଦୁ୍ୟତିକ ବୋଟ୍ର ବ୍ୟବସ୍ଥା ରାଜ୍ୟ ସରକାର କରିବାକୁ ଯାଉଛନ୍ତି । ଏହି କ୍ରମରେ କୋଲାବ, ହୀରାକୁଦ, ଭିତରକନିକା ଓ ବରକୂଳ ପାଇଁ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ଡିଜେଲ ବୋଟ ତୁଳନାରେ ଏହି ଇ-ବୋଟଗୁଡ଼ିକର ଚାଳନା ସମୟରେ ଅପେକ୍ଷାକୃତ କମ ଶବ୍ଦ ସୃଷ୍ଟି ହେବା ସହ ଏଥିରୁ ଧୂଆଁ ବାହାରୁ ନଥିବାରୁ ପ୍ରଦୂଷଣର ଆଶଙ୍କା ନଥାଏ ।
ତେବେ ଏହି ପ୍ରକଳ୍ପକୁ ସାକାର କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।