୧୭୪୫ କୋଟି ଟଙ୍କାର କୋକେନ ଜବତ
ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀମାନେ ଶୁକ୍ରବାର ନଭି ମୁମ୍ବଇ ଓ ଥାଣେ ଅଂଚଳରେ ଚଢ଼ଉ କରି ୩୪୯ କିଲୋ ଓଜନର କୋକେନ ଜବତ କରିଛନ୍ତି ।
ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୧୭୪୫କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଘଟଣା ଅଭିଯୋଗରେ ଜଣକୁ ଗିରଫ କରାଯାଇଥିବାବେଳେ ମାଷ୍ଟର ମାଇଣ୍ଡକୁ ଖୋଜା ଚାଲିଛି ।
ଗୁଇନ୍ଦା ସୂଚନାକୁ ଆଧାର କରି ଏନସିବି ଟିମ ପ୍ରଥମେ ନଭି ମୁମ୍ବାଇସ୍ଥିତ କଲାମ୍ବୋଲି ଅଂଚଳରେ ଏକ ମାରୁତି ସୁଜୁକି କାରକୁ ଅଟକାଇ ଯାଂଚ କରିଥିଲେ ।
ସେଥିରୁ ୧୩୬ କିଲୋ କୋକେନ ଜବତ କରାଯାଇଛି । ଏହି କୋକେନକୁ କ୍ରିକେଟ ପ୍ୟାଡ ଓ ଗ୍ଲୋଭସରେ ଲୁଚାଇ ରଖାଯାଇଥିଲା । ମାରୁତି ଚାଳକ ଗିରଫ ହୋଇଥିବାବେଳେ ତାର ବୟାନକୁ ଆଧାର କରି ଥାଣେର ଭିୱାଣ୍ଡି ଅନ୍ତର୍ଗତ ରେହନାଲ ଗ୍ରାମରେ ପୁଣି ଚଢ଼ଉ କରାଯାଇଥିଲା । ସେଠାରୁ ୨୧୩କିଲୋ କୋକେନ ଜବତ ହୋଇଛି ।
ବିଦେଶରୁ ଆସିଥିବା ଏକ ମେସିନରେ କୋକେନ ଭର୍ତି ପ୍ୟାକେଟଗୁଡ଼ିକୁ ନଅ ଥାକିଆ ପଲିଥିନରେ ବନ୍ଧା ଯାଇଥିବା କୁହାଯାଇଛି ।