କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କ ଦେହାନ୍ତ
ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କ ପରଲୋକ ହୋଇଯାଇଛି ।
ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିବାବେଳେ ଆଜି ଭୋର ୪ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି ।
ତାଙ୍କ ମୃତ୍ୟୁରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
ଜାନୁଆରୀ ୧, ୧୯୩୨ ମସିହାରେ ମୋହସିନା କିଦୱାଇ ବାରବାଙ୍କିରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୁଇଥର ଛତିଶଗଡ଼ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ସେ ୧୯୭୮ ଉପନିର୍ବାଚନ, ୧୯୮୦ ଏବଂ ୧୯୮୪ରେ ମେରଠରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତୀ ସମୟରେ ସେ ୨୦୦୪ରୁ ୨୦୧୦ ଏବଂ ୨୦୧୦ରୁ ୧୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ । ଗାନ୍ଧୀ ପରିବାରର ଜଣେ ଘନିଷ୍ଠ, କେନ୍ଦ୍ର ସରକାରରେ ମନ୍ତ୍ରୀ, ହଜ କମିଟିର ଅଧ୍ୟକ୍ଷ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏବଂ କଂଗ୍ରେସ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ଥିଲେ । ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପର୍ଯ୍ୟଟନ ଏବଂ ସାମରିକ ବିମାନ ଚଳାଚଳ ଭଳି ବିଭାଗରେ ସେ କାର୍ଯ୍ୟ କରିଥିଲେ ।