୩୪ବର୍ଷ ପରେ କୋର୍ଟ ରାୟ : ୮୫ବର୍ଷୀୟ ବୃଦ୍ଧ ଦୋଷୀ ସାବ୍ୟସ୍ତ, ଯିବେ ଜେଲ
ବିହାରର ବୈଶାଳୀ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାଧାରଣଙ୍କ ସମ୍ମୁଖକୁ ଆସିଛି ।
ଏଠାରେ ଏକ ୩୪ବର୍ଷ ପୁରୁଣା ଆକ୍ରମଣ ମାମଲାରେ ଅତିରିକ୍ତ ଜିଲା କୋର୍ଟ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଯୌବନ ଅବସ୍ଥାରେ କରିଥିବା ଅପରୋଧ ପାଇଁ ବୃଦ୍ଧାବସ୍ଥାରେ ଦଣ୍ଡ ଭୋଗିବାକୁ ପଡ଼ୁଛି । ବର୍ତମାନ ଏହି ବୃଦ୍ଧଙ୍କ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ୧୯୯୨ ମସିହା ମେ ୧୦ତାରିଖରେ । ପାରିବାରିକ ବିବାଦକୁ କେନ୍ଦ୍ରକରି ଏକ ଦମ୍ପତିଙ୍କ ଉପରେ ଗୁଳିଚାଳନା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ।
ଏହି ମାମଲାରେ ଗୋଟିଏ ପରିବାରର ୫ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଏଫଆଇଆର ରୁଜୁ କରାଯାଇଥିଲା । ପୁଲିସ ପକ୍ଷରୁ ୧୯୯୩ ମସିହାରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା । ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇସାରିଛି ।
କେବଳ ୮୫ବର୍ଷୀୟ ଦୀପ ରାୟ ନାମକ ଜଣେ ବୃଦ୍ଧ ଜୀବିତ ଥିବାରୁ ଏବେ ତାଙ୍କୁ ଦଣ୍ଡିତ କରାଯାଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ବୃଦ୍ଧଜଣକ ହାତରେ ବାଡ଼ି ଓ ଚପଲ ଧରି କୋର୍ଟ ପରିସରରୁ ବାହାରକୁ ଆସୁଛନ୍ତି । ତାଙ୍କର ଶାରୀରିକ ଅବସ୍ଥା ଏତେ ଦୁର୍ବଳ ଯେ ଉଠିବା ବସିବା ପାଇଁ ତାଙ୍କୁ ଦୁଇଜଣଙ୍କର ସାହାଯ୍ୟ ଦରକାର ପଡ଼ୁଛି ।
ତେବେ ଆଇନ ଆଗରେ ବୟସର ଅସହାୟତା କୌଣସି କାମରେ ଆସିପାରି ନାହିଁ । ଘଟଣାଟି ବୈଶାଳୀ ଜିଲା ଅନ୍ତର୍ଗତ ରାଘୋପୁରର କୁଡାୱନପୁର ଅଂଚଳର ।
ସୋମବାର ଶୁଣାଣି ଶେଷ ହେବା ପରେ ଅତିରିକ୍ତ ଜିଲା ଦୌରା ଜଜ ଆର୍ମ୍ସ ଆକ୍ଟ ଅଧିନରେ ଦୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଦୀର୍ଘ ୩୪ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ ଅଦାଲତ ଏହି ବଡ଼ ରାୟ ଶୁଣାଇଛନ୍ତି ।