ଦିଲ୍ଲୀରେ ଏକାକୀ ଧାରଣା ଦେବେ ମମତା
ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ବାନାର୍ଜୀ ଓ କଲ୍ୟାଣ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ଟିଏମସି (ତୃଣମୂଳ କଂଗ୍ରେସ) ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଥିବାବେଳେ ପୁଲିସ ଏହାକୁ ଅନୁମତି ଦେଇନାହିଁ ।
କଲକାତାର ରାଣୀ ରାସମଣି ରୋଡ଼ରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ପାଇଁ ଯୋଜନା ହୋଇଥିଲା । ପୁଲିସ ବିକ୍ଷୋଭ ପ୍ରଦର୍ଶନକୁ ଅନୁମତି ନ ଦେବା ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଏବେ ପୁଲିସ ରାଜ ଚାଲିଛି । ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପୁଲିସ ତାଙ୍କୁ ବିକ୍ଷୋଭ ପାଇଁ ଅନୁମତି ଦେଇନାହିଁ ।
ପୁଲିସ ଆଗାମୀ ଦିନରେ ଏଭଳି ନିଷ୍ପତି ନେଲେ ସେ ଏକାକୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଟିଏମସିକୁ ଦୁର୍ବଳ କରିବା ନିମନ୍ତେ ବିଜେପି ଚଳାଇଥିବା ଯୋଜନାକୁ ପୁଲିସ ସହଯୋଗ କରୁଛି । ଗତ ଶନିବାର ଦକ୍ଷିଣ ୨୪ପ୍ରଗଣା ଜିଲାର ସୋନାରପୁର ଗସ୍ତରେ ଯାଇଥିବାବେଳେ ମମତାଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ କେତେକ ଆକ୍ରମଣ କରିଥିଲେ ।
ଏହାର ଦିନକ ପରେ ଅର୍ଥାତ ରବିବାର ଦଳର ଅନ୍ୟତମ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ହୁଗୁଳି ଜିଲାର ଚଣ୍ଡିତଲା ଥାନା ନିକଟରେ ଆକ୍ରମଣ ହୋଇଥିଲା । ଏହି ସମସ୍ତ ଆକ୍ରମଣ ପଛରେ ବିଜେପିର ସଂପୃକ୍ତି ରହିଛି ବୋଲି ଟିଏମସି ଅଭିଯୋଗ କରିଛି । ମାତ୍ର ଟିଏମସିର ଅଭିଯୋଗକୁ ବିଜେପି ଖଣ୍ଡନ କରିଛି ।
ଅନ୍ୟପଟେ ଅଭିଷେକ କହିଛନ୍ତି ଯେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ଘଟଣା ସମ୍ପର୍କରେ ଅଦାଲତର ଦ୍ୱାରସ୍ଥ ହେବେ ।