୯ ପୁଲିସ ଅଧିକାରୀଙ୍କୁ ଫାଶୀ ଦଣ୍ଡ
ଭାରତୀୟ ନ୍ୟାୟପାଳିକାରେ ବିରଳ ରାୟ
ସତନକୁଲମ ଥାନା ହାଜତରେ ବାପା-ପୁଅ ମୃତ୍ୟୁ ମାମଲାରେ ତାମିଲନାଡୁର ୯ ଜଣ ପୁଲିସ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଜାରି କରିଛନ୍ତି ମଦୁରାଇ ଅତିରିକ୍ତ ଜିଲା ସେସନ୍ସ ଅଦାଲତ । ସତନକୁଲମ ଥାନା ହାଜତରେ ବାପା-ପୁଅ ମୃତୁ୍ୟ ମାମଲାର ବିଚାର କରି ଏହି ଦଣ୍ଡାଦେଶ ଜାରି କରିଛନ୍ତି ।
୨୦୨୦ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ତାମିଲନାଡୁ ସତନକୁଲମ ଥାନା ଅଂଚଳର ବ୍ୟବସାୟୀ ପି. ଜୟରାଜ ଓ ତାଙ୍କ ପୁଅ ଭେନିକ୍ସ ଗିରଫ ହୋଇଥିଲେ । କୋଭିଡ କଟକଣା ସମୟରେ ସେମାନ ତାଙ୍କର ମୋବାଇଲ ଦୋକାନକୁ ଲକଡାଉନ ପରେ ବି ଖୋଲା ରଖୁଥିଲେ ।
ଏନେଇ ସତନକୁଲମ ଥାନା ପୁଲିସ ବାପ-ପୁଅଙ୍କୁ ଗିରଫ କରିଥିଲା ।
ପରେ ସତନକୁଲମ ଥାନା ହାଜତରେ ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ସେସନ କୋର୍ଟରେ ପୁଲିସ ବିରୋଧରେ ମାମଲା ଦାଏର ହୋଇଥିଲା ।
ଅଭିଯୋଗ ଅନୁସାରେ ଉଭୟ ପି. ଜୟରାଜ ଓ ପୁଅ ଭେନିକ୍ସଙ୍କୁ ରାତିସାରା ହାଜତରେ ପୁଲିସ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ମାରିବାରୁ ସେମାନଙ୍କ ମୃତୁ୍ୟ ହୋଇଥିଲା ।
ପରେ ଅଭିଯୋଗକାରିଣୀଙ୍କ ଆବେଦନକୁ ଗ୍ରହଣ କରି ଅଦାଲତଙ୍କ ନିର୍ଦେଶକ୍ରମେ ଏହାର ସିବିଆଇ ଯାଂଚ ହୋଇଥିଲା ।
ହାଜତରେ ପୁଲିସର ଅତ୍ୟଧିକ ନିର୍ଯାତନା ଯୋଗୁଁ ପି. ଜୟରାଜ ଓ ପୁଅ ଭେନିକ୍ସଙ୍କ ମୃତୁ୍ୟ ଘଟିଥିବା ସିବିଆଇ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା ।
ଅଦାଲତ ଏହି ରିପୋର୍ଟ ଆଧାରରେ ଜଣେ ଇନ୍ସପେକ୍ଟର, ୨ ଏସ୍ଆଇ ଓ ୬ ଜଣ କନେଷ୍ଟବଳଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।