୮ ନିଲମ୍ବିତ ବିଧାୟକଙ୍କ ସଭପ୍ୟଦ ରଦ୍ଦ ଦାବି
ଚେଇଁଲା ବିଜେଡି, କହିଲା ବିଦା କର
ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପକୁ ନମାନି ୪ର୍ଥ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ କ୍ରସ୍ ଭୋଟିଂ କରିଥିବା ବିଜେଡିର ୮ ବିଧାୟକଙ୍କ ବିରୋଧରେ ଆକ୍ସନମୋଡରେ ବିଜେଡି । ଏମାନଙ୍କୁ ଦଳରୁ ସବୁଦିନ ପାଇଁ ବିଦା କରିବାକୁ ଦଳ ନିଷ୍ପତି ନେଇଛି ।
ରାଜ୍ୟସଭା ନିର୍ବାଚନର ୪୨ ଦିନ ପରେ ଏଭଳି ଆକ୍ସନମୋଡକୁ ଆସିଛନ୍ତି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ୮ ନିଲମ୍ବିତ ବିଧାୟକ ହେଉଛନ୍ତି ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ନବ ମଲ୍ଲିକ, ଚକ୍ରମଣି କହଁର, ବିଧାୟିକା ସୁବାସିନୀ ଜେନା, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ ଏବଂ ଜଗତସିଂହପୁର ବିଧାୟକ ଡ. ରମାକାନ୍ତ ଭୋଇ ।
ଏମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ପାଖରେ ପିଟିସନ ଦାଖଲ କରାଯାଇଛି ।
ସୋମବାର ପୂର୍ବାହ୍ନ ୧୧ଟାରେ ସମସ୍ତ ବିଜେଡି ବିଧାୟକ ଏକଜୁଟ ହୋଇ ଶଙ୍ଖଭବନରେ ବୈଠକ କରିଥିଲେ । ସେଠାରୁ ସିଧାସଳଖ ଯାଇ ବାଚସ୍ପତିଙ୍କୁ ଭେଟି ଏହି ୮ ଦଳ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ ଦାଖଲ କରିଛନ୍ତି । ଶରଦ ଯାଦବ ଓ ହିମାଚଳ ପ୍ରଦେଶ ଘଟଣା ଭଳି ଏସମସ୍ତ ୮ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।
ଅନ୍ୟପଟେ ଏହା କରିବା ଦ୍ୱାରା ବିଜେଡିକୁ କୌଣସି ସୁଫଳ ମିଳିନପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତପୋଷଣ କରିଛନ୍ତି ।