ଏସସିବିରୁ କୁଆଡ଼େ ଗଲେ ୧୪ ନବଜାତ ଶିଶୁ ?
ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ୧୪ ଶିଶୁ ନିଖୋଜ ହେବା ନେଇ ଘଟଣା ସାମ୍ନାକୁ ଆସିଛି । ଏହାର ତଦନ୍ତକରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁଏସସିବି ଅଧୀକ୍ଷକଙ୍କୁ କେନ୍ଦ୍ରାଂଚଳ ଆର୍ଡିସି ନିର୍ଦେଶ ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ପରେ ଆର୍ଡିସିଙ୍କ ଅଫିସକୁ ରିପୋର୍ଟ ପଠାଇବାକୁ ନିର୍ଦେଶ ଦିଆଯାଇଛି ।
ଗତ ୬ ବର୍ଷ ମଧ୍ୟରେ ମାନସିକ ଅନଗ୍ରସର ମହିଳାଙ୍କ ୧୪ ନବଜାତ ଶିଶୁଙ୍କ ପତା ମିଳୁନଥିବା ନେଇ ଅଭିଯୋଗ ପରେ ଏହାର ତନାଘନା ଆରମ୍ଭ ହୋଇଛି ।
କାରଣ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଗର୍ଭବତୀମାନଙ୍କୁ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀ ବା ସଂସ୍ଥା ଏସସିବିକୁ ଆଣିଥାନ୍ତି । ସେମାନଙ୍କ ସେଠାରେ ଚିକିତ୍ସା ସହିତ ପ୍ରସୂତିଙ୍କ ପିଲା ଜନ୍ମ ପରେ ଏହାର ରେର୍କଡ ରଖାଯିବାର ନିୟମ ରହିଛି ।
ଏହାର ଦାୟିତ୍ୱ ଏସସିବିର । ପ୍ରାୟତଃ ଅଧସ୍ତନ କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ; ମାତ୍ର ଗତ ୬ ବର୍ଷ ମଧ୍ୟରେ ଏସସିବିକୁ ଆସିଥିବା ମାନସିକ ଅନଗ୍ରସର ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମିତ ୧୪ ନବଜାତ ଶିଶୁଙ୍କ କୌଣସି ପତା ମିଳୁନାହିଁ ।
ଜନ୍ମ ପରେ ସେମାନେ ତାଙ୍କ ମା’ ସହିତ କୁଆଡ଼େ ଗଲେ ନା’ କିଏ ସେମାନଙ୍କୁ ମା’ଠାରୁ ନେଇ ଅନ୍ୟ କାହାକୁ ଦେଇଦଲା ତା’ର ତଦନ୍ତ ଏବେ ହେବ । ଏହାର ତଦନ୍ତ ରିପୋର୍ଟ ଦାଖଲ ପାଇଁ ଏସସିବି ଅଧୀକ୍ଷକଙ୍କୁ କେନ୍ଦ୍ରାଂଚଳ ଆରଡିସି ନିର୍ଦେଶ ଦେଇଛନ୍ତି ।