ଓଡ଼ିଶାରେ ବିକ୍ରି ହେଉଛି ବି.ଇଡି. ସାର୍ଟିଫିକେଟ
୩ଶହରୁ ଅଧିକ ଆଶାୟୀ ଠକେଇର ଶିକାର
ଆଜ୍ଞା ବି.ଇଡି. ସାର୍ଟିଫିକେଟ ଦରକାର । ଟଙ୍କା ଦେଲେ ମିଳିବ । ଏହା ହେଉଛି ଆମ ରାଜ୍ୟ ଓଡ଼ିଶାର ଶିକ୍ଷା ବିକାଶର ବିିଚିତ୍ର ଚିତ୍ର । ଏଠାରେ ଟଙ୍କା ଦେଲେ ଜଣେ ଅନାୟାସରେ ବି.ଇଡି. ସାର୍ଟିଫିକେଟ ହାତେଇପାରୁଛି । ଏଭଳି ଏକ ସତ୍ୟ ଏବେ ସାମ୍ନାକୁ ଆସିଛି; କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ସାର୍ଟିଫିକେଟ ହାତେଇଥିବା ଯୁବକ ଯୁବତୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ଏହା ଜାଲ ସାର୍ଟିଫିକେଟ ।
ବଲାଙ୍ଗିରର ବେଲପାହାଡ଼ ଅଂଚଳର ଭିନୌକୁଣ୍ଡାସ୍ଥିତ ସେଭେନ ହିଲ୍ସ ବି.ଇଡି.କଲେଜ ନାମକ ଏକ ଶିକ୍ଷାନୁଷ୍ଠାନର ଏଭଳି ଫର୍ଜି ସାର୍ଟିଫିକେଟ ଦେଇ ଯୁବକ ଯୁବତୀଙ୍କୁ ଠକି ମାଲେମାଲ ହୋଇଛନ୍ତି କିଛି ଲୋକ । ଏହାର ଜାଲରେ ଫସି ୩ଶହରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ଏନେଇ ଝାରସୁଗୁଡ଼ା ସାଇବର ଥାନାରେ ଆଶାୟୀ ମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ଲଇକେରା, ବେଲପାହାଡ଼, ବଜ୍ରରାଜନଗର, ଓରିଏଂଟ ଓ ଲଖନପୁରୁରୁ ଏଭଳି ଅଭିଯୋଗ ହୋଇଛି ।
ସେମାନଙ୍କ ଆନ୍ଧ୍ର ବି.ଏଡି.ସାର୍ଟିଫିକେଟ ଯୋଗାଇ ଦିଆଯିବ ବୋଲି କୁହାଯାଇ ପ୍ରତ୍ୟେକ ଆଶାୟୀଙ୍କ ଠାରୁ ୫୦ରୁ ୬୦ ହଜାର ଟଙ୍କା ଠକି ନେଇଛନ୍ତି ।
ଝାରସୁଗୁଡ଼ା ପୁଲିସ ହାତରେ ଏମାନଙ୍କ ଦ୍ୱାରା ଗଠିତ ଏକ ହ୍ୱାଟ୍ସଆପ ଗ୍ରୁପ ଲାଗିବା ପରେ ଏହି ରାକେଟ ବିଷୟରେ ଜଣାପଡ଼ିଛି ଯେ, ଏହାର ଚେର ବୁର୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ଲମ୍ବିିଛି ।
ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ବୁର୍ଲାରେ ଥିବା ଏକ କମ୍ପୁ୍ୟଟର ସେଂଟର ଉପରେ ପୁଲିସ ଚଢ଼ଉ କରି ଏହାକୁ ସିଲ କରିଛି ।
ଏହି କମ୍ପୁ୍ୟଟର ସେଂଟର ଚଳାଉଥିବା ଚିତରଂଜନ ବାରିକ ଓ ରୀମା ଦାସଙ୍କୁ ପୁଲିସ ଗିରଫ କରିଛି ।
ସେମାନଙ୍କ ଜଣେ ସହଯୋଗୀ ଆଲୋକ କୁମାର ଦାସ ଭୁବନେଶ୍ୱରର ଡୁମଡୁମାରେ ଏକ ଶାଖା କାର୍ଯ୍ୟାଳୟ ଚଳାଇ ଏହି ରାକେଟ ଚଳାଉଥିଲେ ।
ତେବେ ରାଜ୍ୟ ସରକାରଙ୍କୁ ଓଟିୟୁଟି ପରୀକ୍ଷାରେ ବି.ଇଡି. ସାର୍ଟିଫିକେଟର ଆବଶ୍ୟକତା ରହିଥିବା ଯୋଗୁଁ ପିଲାମାନେ ଏହି ସାର୍ଟିଫିକେଟ ପାଇବା ପାଇଁ ଚିତରଂଜନ ଓ ରୀମାଙ୍କ ଜାଲରେ ଫସିଯାଇଥିବା ପୁଲିସ ଜାଣିପାରିଛି ।