ଓଭରଟାଇମ କଲେ ଡବଲ ଦରମା
ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ବିଶେଷ କରି ନୋଏଡ଼ା ଏବଂ ଆଖପାଖ ଶିଳ୍ପ ଅଂଚଳର ଶ୍ରମିକମାନେ ଏବେ ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ । ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯଦି ଜଣେ ଶ୍ରମିକ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାମ କରନ୍ତି, ତେବ ସେମାନେ ଏବେ ସେମାନଙ୍କର ସାଧାରଣ ମଜୁରୀର ଦୁଇଗୁଣ ପାଇବେ ।
ଶ୍ରମିକମାନଙ୍କ କଠିନ ପରିଶ୍ରମର ଉପଯୁକ୍ତ ସ୍ୱୀକୃତି ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ଅନେକେ ସ୍ଥାନରେ ଓଭରଟାଇମ ପାଇଁ ଠିକ୍ ଭାବେ ମଜୁରି ପ୍ରଦାନ କରାଯାଉ ନଥିଲା, ଯାହା ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।
ଏତଦବ୍ୟତୀତ ଅନ୍ୟ ଏକ ପ୍ରମୁଖ ପରିବର୍ତନ ହେଉଛି ଯେ ଶ୍ରମିକଙ୍କ ଦରମା ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯିବ । ଏହା ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ମଧ୍ୟସ୍ଥିଙ୍କ ଭୂମିକା ଦୂର କରିବ ।
ଶ୍ରମିକମାନେ ସମୟାନୁସାରେ ଦରମା ପାଇବେ, ଯାହା ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବ । ଯଦି କେହି କମ୍ପାନୀ ଏହି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସଂଶ୍ଲିଷ୍ଟ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆହୁରି ମଧ୍ୟ ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସବୁ କମ୍ପାନୀ ଯୌନ ନିର୍ଯାତନା ମାମଲାଗୁଡ଼ିକର ସମାଧାନ ପାଇଁ ଜଣେ ମହିଳା ସଦସ୍ୟଙ୍କ ନେତୃତ୍ୱରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ପଡ଼ିବ ।
ୟୁପି ସରକାର କାର୍ଯ୍ୟସ୍ଥଳରେ ଅଭିଯୋଗ କମିଟି ପ୍ରତିଷ୍ଠା କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ସମସ୍ତ ଶ୍ରମିକଙ୍କ ଅଭିଯୋଗର ସମାଧାନ ।ପଇଁ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି ।
ଶ୍ରମିକମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଯାହାଦ୍ୱାରା ସେମାନେ ସେମାନଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ ।
ସରକାର ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି ।