ଦାଦ୍ରା-ନଗର ହାଭେଲିରେ ବିସ୍ଫୋରଣ
୪ଜଣଙ୍କର ମୃତ୍ୟୁ, ୫ରୁ ଅଧିକ ଆହତ
କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଏବଂ ନଗର ହାଭେଲିର ସିଲଭାସାଠାରେ ଶନିବାର ସକାଳେ ଏକ ବିସ୍ଫୋରଣ ଘଟଣାକୁ ନେଇ ସାଧାରଣରେ ଚାଂଚଲ୍ୟ ଖେଳିଯାଇଛି ।
ଜଣାପଡ଼ିଛି ଯେ ଦୌମଣି ରୋଡ଼ରେ ଥିବା ଏକ ଗୋଦାମରେ ଏକ ନାଇଟ୍ରୋଜେନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ଭୟଙ୍କର ବିସ୍ଫୋରଣରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଂଚରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ବକ୍ତବ୍ୟ ଅନୁଯାୟୀ ବିସ୍ଫୋରଣ ଏତେଟା ଶକ୍ତିଶାଳୀ ଥିଲା ଯେ ଏହା ଯୋଗୁଁ ଗୋଦାମର ଛାତ ଏବଂ କାନ୍ଥ ଭାଙ୍ଗିପଡ଼ିଛି । ବିସ୍ଫୋରଣରେ ୩୦ମିଟର ପରିଧି ମଧ୍ୟରେ ସ୍ଥାନୀୟ ଲୋକମାନେ ଭୂମିକମ୍ପ ଭଳି ଅନୁଭବ କରିଛନ୍ତି ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଗୋଦାମରେ ନାଇଟ୍ରୋଜେନ ଗ୍ୟାସ ସିଲିଣ୍ଡରଗୁଡ଼ିକୁ ରିଫିଲିଂ କରାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୁଲିସ ଏବଂ ଅଗ୍ନ୍ିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ବିସ୍ପୋରଣରେ ଜୀବନ ଯାଇଥିବା ଲୋକଙ୍କ ମଧ୍ୟରେ ଗୋଦାମ ପରିଚାଳକ ମଧ୍ୟ ଥିବା ଜଣାପଡ଼ିଛି । ଆହତମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
କେତେକ ଆହତଙ୍କ ଅବସ୍ଥା ଗୁରତର ହୋଇପଡ଼ିଛି । ଗୋଦାମ ଗ୍ୟାସ ରିଫଲିଂ ପାଇଁ ଆବଶ୍ୟକୀୟ ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଥିଲା କି ନାହିଁ ତାହା ନେଇ ଅନୁସନ୍ଧାନ ଚାଲିଛି ।