ଅଂଶୁଘାତରେ ଚାଲିଗଲା ଜୀବନ!
ଓଡ଼ିଶାର ବିିଭିନ୍ନ ଜିଲାରେ କ୍ରମଶଃ ରୌଦ୍ରତାପ ଓ ଗୁଳୁଗୁଳି ବୃଦ୍ଧି ପାଇବାକୁ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ପୂର୍ବରୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ଶୁକ୍ରବାର ଧାନ ବିଲରେ କାମ କରୁଥିବାବେଳେ ଜଣେ ଅଂଶୁଘାତରେ ଜୀବନ ହରାଇବା ଅଭିଯୋଗକୁ ନେଇ ସାଧାରଣରେ ଚର୍ଚା ଆରମ୍ଭ ହୋଇଛି ।
ଜଣାପଡ଼ିଛି ଯେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବନ୍ଧମୁଣ୍ଡି ଗ୍ରାମରେ ପ୍ରଚଣ୍ଡ ଖରା ଯୋଗୁଁ ରଘୁନାଥ ମାହାନା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭବତଃ ଅଂଶୁଘାତ କାରଣରୁ ହୋଇଥିବା ଆଲୋଚନା ହେଉଛି ।
ରଘୁନାଥ ଧାନ ବିଲରେ କାମ କରୁଥିବା ସମୟରେ ଅଚାନକ ଟଳି ପଡ଼ିଥିଲେ । ବିଲ ପାଣିରେ ଅଚାନକ ଚେତା ହରାଇ ଟଳି ପଡ଼ିବା ଯୋଗୁଁ ସମ୍ପୂର୍ଣ୍ଣ ବୁଡ଼ି ରହିଥିଲେ । ୁ ବିଲରେ ଜମି ରହିଥିବା ପାଣି ଗରମ ରହିବା କାରଣରୁ ତାଙ୍କ ଶରୀର ସିଝି ଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।
ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହାସପାତାଳକୁ ନେଇ ଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯେହେତୁ ସେ ପ୍ରବଳ ରୌଦ୍ରତାପରେ କାର୍ଯ୍ୟ କରୁଥିବା ସମୟରେ ଚେତା ହରାଇ ଟଳି ପଡ଼ିଥିଲେ, ସେହି ଦୃଷ୍ଟିରୁ ଗ୍ରାମ ଓ ପରିବାରର ଲୋକମାନେ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି କହୁଛନ୍ତି । ଏହି ମୃତ୍ୟୁକୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ତେବେ ଏହା ଅଂଶୁଘାତଜନିତ କି ନୁହେଁ, ସେ ସମ୍ବନ୍ଧରେ ଡାକ୍ତର କିଛି କହି ନାହାଁନ୍ତି ।