ସିପିଇଟି ପରୀକ୍ଷା ଆବେଦନ ସମୟ ବୃଦ୍ଧି
ସିପିଇଟି ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବଢ଼ାଯାଇଛି ।
ଆବେଦନର ସମୟ ସୀମାକୁ ମାର୍ଚ ୨୨ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ସିପିଇଟି ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ ୨୨ତାରିଖ ରାତ୍ରି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ସାମ୍ସ ପୋର୍ଟଲକୁ ଯାଇ ନିଜର କମନ୍ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ ।
ପୂର୍ବରୁ ନିର୍ଦ୍ଦାରିତ ହୋଇଥିବା ସମୟ ସୀମା ଅନୁସାରେ ସିପିଇଟି ପରୀକ୍ଷା ଆବେଦନ ପାଇଁ ମାର୍ଚ ୧୮ତାରିଖ ଶେଷ ତାରିଖ ଥିଲା, କିନ୍ତୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇ ଆବେଦନ ସମୟ ସୀମାକୁ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ କମନ ପିଜି ଏଂଟ୍ରାନ୍ସ ଟେଷ୍ଟ (ସିପିଇଟି) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ । ସିପିଇଟି ପ୍ରବେଶିକା ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ହିଁ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ।
ଏଥିସହ ଆଗାମୀ ଜୁଲାଇ ୧୦ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକୋତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଯାହାଦ୍ୱାରା ସଠିକ୍ ସମୟରେ ସ୍ନାତକୋତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ୍ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ ।