ଭୁତ ଭୟ : ଥାନାରେ ଦମ୍ପତିଙ୍କ ଆତ୍ମସମର୍ପଣ
ସାଙ୍ଗକୁ ହତ୍ୟା କରିବା ପରେ ଆତ୍ମାର ଭୟ ଅପରାଧୀଙ୍କୁ ଛାଡ଼ି ନଥିଲା । ଯାହାଦ୍ୱାରା ଅପରାଧୀ ଦମ୍ପତି ପୁଲିସ ନିକଟରେ ସମସ୍ତ ବିଷୟ ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।
ଛତିଶଗଡ଼ର ଅମ୍ବିକାପୁର ଜିଲା ଲୋହାପାରା ବସ୍ତିରେ ଘଟିଥିବା ଏକ ଘଟଣାରେ ଅଭିଯୁକ୍ତ ମିଥିଲେଶ କୁଜୁର ନିଜ ବନ୍ଧୁ ବ୍ରିଜଲାଲ ଆଗାରିଆଙ୍କୁ ହତ୍ୟା କରି ମୃତଦେହକୁ ନିଜ ଘର ଭିତରେ ପୋତି ଦେଇଥିଲେ ।
ମାତ୍ର ମୃତ ବନ୍ଧୁଙ୍କ ଆତ୍ମା ପ୍ରତିଦିନ ତାଙ୍କୁ ଡରାଉଥିବା ଏବଂ ପିଛା କରୁଥିବା ଅନୁଭବ କରି ମିଥିଲେଶ ମାନସିକ ଭାରସାମ୍ୟ ହରାଇ ପଡ଼ିଥିଲେ । ଯାହାଦ୍ୱାରା ଆଜି (ଶନିବାର) ଗାନ୍ଧୀନଗର ଥାନାରେ ଆତ୍ମସମର୍ପଣ କରି ନିଜ ଅପରାଧ ସ୍ୱୀକାର କରିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ ଗତ ମାର୍ଚ ୨୪ ତାରିଖ ରାତିରେ ମଦ୍ୟପାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ମିଥିଲେଶ ଏକ ବାଡ଼ିରେ ବ୍ରିଜଲାଲଙ୍କୁ ବାଡେଇବାଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ଦେଖି ମିଥିଲେଶ ଓ ତାଙ୍କ ପତ୍ନୀ ଭୟ ପାଇ ଯାଇଥିଲେ ।
ତେଣୁ ଘଟଣାକୁ ଯେପରି ଲୁଚାଇହେବ ସେଥିପାଇଁ ଦୁହେଁ ମିଶି ସେହି ମୃତଦେହକୁ ଘର ଭିତରେ ପୋତି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେଉଁଦିନଠୁ ସେ ଦୁହେଁ ମୃତଦେହକୁ ପୋତିଥିଲେ, ସେବେଠୁ ସେମାନଙ୍କ ମନରେ ପ୍ରବଳ ଭୟ ଜାତ ହୋଇଥିଲା ।
ସେମାନେ ମାନସିକ ଭାରସ୍ୟାମ୍ୟ ମଧ୍ୟ ହରାଇ ବସିଥିଲେ । ଦୁହେଁ ସର୍ବଦା ମନେ କରୁଥିଲେ ଯେ ମୃତକଙ୍କ ଆତ୍ମା ସବୁବେଳେ ତାଙ୍କୁ ପିଛା କରୁଛି ଏବଂ ଡରାଉଛି ।
ଏଥିରେ ଅତିଷ୍ଠ ହୋଇ ଦୁହେଁ ବାଧ୍ୟ ହୋଇ ନିକଟସ୍ଥ ଥାନାକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ କହିବା ସହ ଆତ୍ମସମର୍ପଣ କରିଥିଲେ । ଏବଂ ପୋତି ଦିଆଯାଇଥିବା ମୃତ ସାଙ୍ଗର ଶବକୁ ଉଦ୍ଧାରକରି ଶେଷକୃତ୍ୟ ପାଇଁ ମିଥିେଲେଶ ପୁଲିସ ନିକଟରେ ଗୁହାରି କରିଥିଲେ ।
ପରେ ପୁଲିସ ଘଟଣାସ୍ଥଳରେ ପହଂଚି ପୋତାଯାଇଥିବା ମୃତଦେହକୁ ମାଟିତଳୁ ଉଦ୍ଧାର କରି ଶେଷକୃତ୍ୟ ସମ୍ପନ୍ନ କରିବା ସହ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।