ଏଆଇଏଡିଏମକେରେ ବିଭାଜନ ଆଶଙ୍କା
୩୦ ବିଧାୟକ ବିଦ୍ରୋହ ପାଇଁ ପ୍ରସ୍ତୁତ
ତାମିଲନାଡ଼ୁ ରାଜନୀତିରେ ଦଶନ୍ଧି ପୂରଣ ସମୀକରଣ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି ।
ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ପ୍ରଥମ ନିର୍ବାଚନୀ ଲଢ଼େଇରେ ଏପରି କିଛି ହାସଲ କରିଛି, ଯାହା ରାଜ୍ୟର ସବୁଠାରୁ ଅଭିଜ୍ଞ ରାଜନୈତିକ ନେତାମାନେ ମଧ୍ୟ କେବେ କଳ୍ପନା କରି ନଥିଲେ । ବିଜୟଙ୍କ ବିଜୟ ତାମିଲନାଡ଼ୁର ରାଜନୀତିକୁ ଦୋହଲାଇ ଦେଇଛି ।
ନିର୍ବାଚନ ଫଳାଫଳ କେବଳ କ୍ଷମତା କରିଡର ଭିତରେ ଉତେଜନା ସୃଷ୍ଟି କରିନାହିଁ, ବରଂ ରାଜ୍ୟର ସବୁଠାରୁ ପୁରୁଣା ଏବଂ ଶକ୍ତିଶାଳୀ ଦଳ ମଧ୍ୟରୁ ଗୋଟିଏ, ଏଆଇଏଡିଏମକେର ଅସ୍ତିତ୍ୱକୁ ମଧ୍ୟ ବିପଦରେ ପକାଇଛି । ୨୦୨୬ ତାମିଲନାଡ଼ୁ ବିଧାନସଭା ପଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବିଜୟଙ୍କ ଦଳ ଟିଭିକେ ୧୦୮ଟି ଆସନ ଜିତି ରାଜ୍ୟର ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ତଥାପି ୨୩୪ଟି ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୧୧୮ ଯାଦୁକରୀ ସଂଖ୍ୟାଠାରୁ ଦଳ ଏବେ ବି ୧୦ଟି ଆସନ ପଛରେ ରହିଛି । ଏହି ବିଜୟ ରାଜ୍ୟର ପାରମ୍ପରିକ ରାଜନୈତିକ ଦୃଶ୍ୟପଟରେ ନୂଆ ସମୀକରଣ ସୃଷ୍ଟି କରିଛି । ଟିଭିକେ ଏକାକୀ ନିର୍ବାଚନ ଲଢ଼ି ଏହି ସଫଳତା ହାସଲ କରିଛି, ଯାହା ସୂଚାଇ ଦେଇଛି ଯେ ଜନସାଧାରଣ ପରିବର୍ତନ ପାଇଁ ଭୋଟ ଦେଇଛନ୍ତି ।
ଏବେ ପ୍ରଶ୍ନ ହେଉଛି ଯେ କିଏ ସରକାର ଗଠନ କରିବ ଏବଂ କିଏ ବିଜୟଙ୍କୁ ସମର୍ଥନ କରିବ । ଏହି ଅନିଶ୍ଚିତତା ରାଜ୍ୟର ସାଧାରଣ ନାଗରିକଙ୍କ ମଧ୍ୟରେ ଭବିଷ୍ୟତ ଯୋଜନା ଏବଂ ନୀତି ବିଷୟରେ କୌତୁହଳ ଏବଂ କିଛି ଚିନ୍ତା ସୃଷ୍ଟି କରିଛି । ଏହି ନିର୍ବାଚନ ବିଜୟ ସହିତ ଏଆଇଏଡିଏକେ ଭିତରେ ଏକ ବିଦ୍ରୋହ ସୃଷ୍ଟି ହୋଇଛି । ଦଳର ୪୭ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ବିଜୟଙ୍କ ଟିଭିକେକୁ ସମର୍ଥନ କରିବା ସପକ୍ଷରେ ରହିଛନ୍ତି । ଜଣାପଡ଼ିଛି ଯେ ଯଦି ଦଳର ହାଇକମାଣ୍ଡ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି କେ ପଲାନିସ୍ୱାମୀ ଶୀଘ୍ର ଏକ ଦୃଢ଼ ନିଷ୍ପତି ନ ନିଅନ୍ତି, ତେବେ ସି.ଭି ଶାନମୁଗମଙ୍କ ନେତୃତ୍ୱରେ ୩୦ ବିଧାୟକ ଦଳ ଛାଡ଼ି ବିଜୟଙ୍କ ସହ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୈତିକ କରିଡରରେ ଚର୍ଚା ହେଉଛି ।
ବୁଧବାର ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକକୁ ହଠାତ ସ୍ଥଗିତ କରାଯିବା ଏକ ଦୃଢ଼ ସୂଚନା ଦେଉଛି ଯେ ଦଳ ଭିତରେ ସବୁକିଛି ଠିକ୍ ନାହିଁ । ବିଧାୟକମାନଙ୍କ ଏକ ବଡ଼ ଗୋଷ୍ଠୀ ରାଜ୍ୟରେ ଏକ ସ୍ଥିର ସରକାର ଗଠନ କରିବା ପାଇଁ ଅତି କମରେ ଗୋଟିଏ ବର୍ଷ ପାଇଁ ଟିଭିକେକୁ ବାହ୍ୟ ସମର୍ଥନ କରିବାକୁ ଚାହୁଁଛନ୍ତି ।
ତାମିଲନାଡ଼ୁରେ କ୍ଷମତାର ଚାବିକାଠି ଏବେ ଛୋଟ ଦଳ ଏବଂ ରଣନୈତିକ ମେଂଟ ଉପରେ ଭରସା କରୁଛି । ଯେତେବେଳେ ଏଆଇଏଡିଏମକେ ପତନ ଦ୍ୱାରରେ ପହଂଚିଛି, ସେତେବେଳେ ଡିଏମକେ ମେଂଟର ଅଂଶ କଂଗ୍ରେସ ବିଜୟଙ୍କ ସହିତ ରହିବା ବିଳକ୍ପ ଉପରେ ମଧ୍ୟ ବିଚାର କରୁଛି ।
ବିଜୟଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ରାହୁଳ ଗାନ୍ଧୀଙ୍କ ଫୋନକୁ କେବଳ ସୌଜନ୍ୟମୂଳକ ନୁହେଁ, ବରଂ ଭବିଷ୍ୟତର ମେଂଟର ଏକ ସଂକେତ ଭାବେ ମଧ୍ୟ ଦେଖାଯାଉଛି । ଏହା ବ୍ୟତୀତ ପିଏମକେ ଭଳି ଦଳଗୁଡ଼ିକୁ ମଧ୍ୟ ବିଜୟଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି । ବିଜୟ ପୂର୍ବରୁ ଏକ ମେଂଟ ସରକାରର ସମ୍ଭାବନା ପ୍ରତି ସହମତ ହୋଇ ସାରିଛନ୍ତି ।
ଏହା ଛୋଟ ଦଳଗୁଡ଼ିକ ମଧ୍ୟରେ କ୍ୟାବିନେଟ ପଦବୀ ପାଇବାର ଆଶା ସୃଷ୍ଟି କରିଛି ।