ଏପ୍ରିଲ ୧୩ ଓ ୧୪ରେ ପାଳନ ହେବ ପ୍ରତିଷ୍ଠା ଦିବସ
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ଚଳିତ ଏପ୍ରିଲ ୧୩ ଓ ୧୪ତାରିଖ ଦୁଇଦିନ ଧରି ପାଳନ କରାଯିବ ।
ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ନେଇ ନିଷ୍ପତି ହୋଇଛି ।
ଚଳିତବର୍ଷ ଏହି ଉତ୍ସବକୁ ଏପ୍ରିଲ ୧୩ ତାରିଖରେ ସ୍ୱତନ୍ତ୍ର ଭାବେ ଏବଂ ୧୪ରେ ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ସହ ମିଳିତ ସମନ୍ୱୟରେ ପାଳନ କରାଯିବ ।
ମହୋତ୍ସବର ଆୟୋଜନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ କମିସନର ଚଂଚଳ ରାଣା ଉପସ୍ଥାପନ କରିଥିଲେ । ବୈଠକରେ ମିଳିଥିବା ବିବରଣୀ ଅନୁସାରେ ରାଜଧାନୀ ପ୍ରତିଷ୍ଠା ଦିବସ ଏପ୍ରିଲ ୧୩ତାରିଖ ପୂର୍ବାହ୍ନରେ ପିଏମଜି ଛକସ୍ଥିତ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ ।
ମୁଖ୍ୟ ଅତିଥିଙ୍କଦ୍ୱାରା ପ୍ରତିଷ୍ଠା ଦିବସ ପତାକା ଉତୋଳନ କରାଯିବ । ଏହା ସହିତ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର୍ଯ୍ୟନ୍ତ ଏକ ପରେଡ ଅନୁଷ୍ଠିତ ହେବ । ସେହିପରି ଉତ୍ସବ ଉପଲକ୍ଷେ ଜୟଦେବ ଭବନଠାରେ ରାଜଧାନୀର ଐତିହ୍ୟ ଓ ଗୌରବକୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରାତଃକାଳୀନ ପରେଡ କାର୍ଯ୍ୟକ୍ରମକୁ ନିର୍ଦ୍ଦାରିତ ସମୟ ସୂଦ୍ଧା ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ।
୧୩ ତାରିଖ ସନ୍ଧ୍ୟାରେ ଉକ୍ରଳ ମଣ୍ଡପଠାରେ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଉତ୍ସବର ଦ୍ୱିତୀୟ ଦିନ ଏପ୍ରିଲ ୧୪ ତାରିଖରେ ଉକ୍ରଳ ମଣ୍ଡପଠାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ପକ୍ଷ ସହ ସମନ୍ୱିତ କରାଯାଇ ଅନୁଷ୍ଠିତ ହେବ ।
ବୈଠକରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଡ. ଏନ ତିରୁମାଲା ନାଏକ, ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ୟେଦୁଲ୍ଲା ବିଜୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ପର୍ଯ୍ୟନଯ ବିଭାଗ ନିର୍ଦେଶକ ଦୀପଙ୍କର ମହାପାତ୍ର, ପୂର୍ତ ବିଭାଗ ସର୍ବୋଚ ଯନ୍ତ୍ର ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟକୋ, ପୁଲିସ କମିସନରେଟ ଏବଂ ଅଗ୍ନିଶମ ସେବା ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।