ଜାଳେଣି ଆକାଶଛୁଆଁ, ବନ୍ଦ ହୋଇପାରେ ବିମାନ ସେବା : ବିପଦ ଘଂଟି ବଜାଇ କେନ୍ଦ୍ରକୁ ଚିଠି
ପଶ୍ଚିମ ଏସିଆରେ ଯୁଦ୍ଧ ଜାରି ରହିବାଦ୍ୱାରା ଜାଳେଣି (ତୈଳ) ମୂଲ୍ୟ ଆକାଶଛୁଆଁ ହୋଇଛି ।
ଫଳରେ ବିମାନ ଜାଳେଣି ଉପରେ ଚାପ ସୃଷ୍ଟି କରିଛି । ସମଗ୍ର ବିଶ୍ୱରେ ଜେଟ ଫୁଏଲର ମୂଲ୍ୟ ମାରାତ୍ମକ ଭାବେ ବୃଦ୍ଧି ଘଟିଛି । ତେଣୁ ଏହି ବିଷୟଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟତଃ ଭାରତର ବିମାନ ପରିବହନକାରୀ ସଂସ୍ଥାଗୁଡ଼ିକ ବିପଦ ଘଂଟି ବଜାଇଛନ୍ତି ।
ସଂସ୍ଥାଗୁଡ଼ିକର ପ୍ରତିନିଧି ସଂଗଠନ ଫେଡ଼େରେସନ ଅଫ୍ ଇଣ୍ଡିଆ ଏୟାରଲାଇନ୍ସ (ଏଫ୍ଆଇଏ), ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ ଜେଟ ପ୍ରମୁଖ ଅନ୍ତର୍ଭୁକ୍ତ ।
ସଂଗଠନଗୁଡ଼ିକର ଦାବି ଜେଟ ଫୁଏଲର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । ଯାହାଦ୍ୱାରା ବିମାନ ଚଳାଚଳ ପାଇଁ ଯେଉଁ ଖର୍ଚ୍ଚ ହୋଇଥାଏ, ତାହା ବହୁ ପରିମାଣରେ ବୃଦ୍ଧି ପାଇବାକୁ ଲାଗିଛି । ଯାହାକୁ ନେଇ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେଣୁ ବିଷୟଟିକୁ ଗୁରୁତ୍ୱ ଦେଇ ବିମାନ ମନ୍ତ୍ରଣାଳୟଙ୍କ ନିକଟରେ ଏଫ ଆଇଏ ପକ୍ଷରୁ ପତ୍ର ପଠାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ ସଂପ୍ରତି ଖର୍ଚ୍ଚ ଅଙ୍କ ଯେଉଁ ପରିମାଣରରେ ବୃଦ୍ଧି ପାଇଛି, ସେଥିରେ ସାଧାରଣଙ୍କ କ୍ଷେତ୍ରରେ ବିମାନ ସେବା ଯୋଗାଇବା କଷ୍ଟକର ।
ସେଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୧ରେ ଭାରତରେ ଆକ୍ଟିଭେସନ ଟରବାଇନ ଫୁଏଲ (ଏଟିଏଫ)ର ମୂଲ୍ୟ ୮.୫% ବୃଦ୍ଧି ପାଇଥିଲା । ପ୍ରତି କିଲୋ ଲିଟରରେ ଏଟିଏଫର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ଅତିକ୍ରମ କରିଛି । ପ୍ରସଙ୍ଗତଃ ବିମାନ ଚଳାଚଳ ନିମନ୍ତେ ଅନ୍ତତଃ ୪୦% ଜାଳେଣି କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ । ସଂପ୍ରତି ଅପରେଟିଂ ଖର୍ଚ୍ଚ ୫୫ରୁ ୬୦% ଲାଗୁଛି । ଯାହାଦ୍ୱାରା ଲାଭ ଖୁବ୍ କମ ରହୁଛି । ସେହିପରି ଟିକଟର ମୂଲ୍ୟ ବୃଦ୍ଧି ପାଇବାଦ୍ୱାରା ଯାତ୍ରୀ ସେବା କ୍ଷେତ୍ରରେ ଆଶଙ୍କା ସୃଷ୍ଟି ହେଉଛି ।
ସେହିପରି ଏଫଆଇଏ ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏୟାରଲାଇନ୍ସ ଇଣ୍ଢଷ୍ଟ୍ରିରେ ପ୍ରବଳ ଚାପ ସୃଷ୍ଟି ହୋଇଛି । ଯାହାଦ୍ୱାରା ବନ୍ଦ ଭଳି ପରିସ୍ଥିତି ଉପୁଜିଛି । ଜାଳେଣି ମୂଲ୍ୟ ବୃଦ୍ଧି ଯୋଗୁଁ ଆନ୍ତର୍ଜାତୀକ ରୁଟ୍ରେ ବିମାନ ଚଳାଚଳ କାର୍ଯ୍ୟତଃ ଅସମ୍ଭବ ହୋଇପଡ଼ୁଛି । ମୂଳତଃ ଟଙ୍କା ମୂଲ୍ୟରେ ପତନ ଯୋଗୁଁ ଚାପ ବୃଦ୍ଦି ପାଇଛି ।
ଏହି ପରିସ୍ଥିତିରେ ଆଭିୟେସନ ସେକ୍ଟର ରକ୍ଷା ପାଇଁ ସରକାରଙ୍କ ନିକଟରେ ଏଫଆଇଏ ଅର୍ଜି କରିଛି । ଏହା ମଧ୍ୟରେ ଏଟିଏଫ ଉପରେ ଥିବା ଶୁଳ୍କ ପ୍ରତ୍ୟାହାର ଦାବି ରହିଛି ।
ରାଜ୍ୟ ଭିତିକ ଭିଏଟି (ଭାଟ) ହାର ହ୍ରାସ ପାଇଁ ଦାବି କରାଯାଇଛି । ଅପରିଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଲେ ବି ବିମାନର ଜାଳେଣି ମୂଲ୍ୟ କମ ହୁଏ ନାହିଁ ବୋଲି ଅଭିଯୋଗ ରହିଛି, ତେଣୁ ସେଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।