ଯାଂଚ ହେବ ମୋବାଇଲ୍ ସିମର ବାୟୋମେଟ୍ରିକ
୯୪୦୦ ହ୍ୱାଟସଆପ ଆକାଉଂଟ ବନ୍ଦ
ଦେଶରେ ଡିଜିଟାଲ ଠକେଇ ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଛି ।
ସାମ୍ନାକୁ ଆସୁଥିବା ବହୁ ମାମଲାରେ ଲୋକମାନେ କୋଟି କୋଟି ଟଙ୍କା ହରାଇ ସର୍ବସ୍ୱାନ୍ତ ହୋଇ ପଡ଼ୁଛନ୍ତି । ଏହି ସମସ୍ୟାର ମୁକାବିଲା କରିବାକୁ ସରକାରଙ୍କ ବିଭିନ୍ନ ଏଜେନ୍ସି ପରିସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି ।
ଆଗାମୀ ଦିନରେ ଏହି ସମସ୍ୟା ରୋକିବା ଲାଗି ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି । ତାହା ହେଉଛି ସିମ କାର୍ଡର ବାୟୋମେଟ୍ରିକ ଯାଂଚ କରିବା ଏବଂ ସନେ୍ଦହଜନକ ମାମଲାରେ ବ୍ୟାଙ୍କ ଖାତାରୁ କଟିବାକୁ ଥିବା ଟଙ୍କାକୁ ସାମୟିକ ସମୟ ପାଇଁ ଅଟକାଇ ଦେବା ଭଳି ପ୍ରସ୍ତାବ ଲାଗୁ କରିବା ଉପରେ ସରକାର ବିଚାର କରୁଛନ୍ତି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଯାଇଛି ଯେ ଡିଜିଟାଲ ଗିରଫଦାରୀ ମାମଲା ସହ ଜଡ଼ିତ ୯୪୦୦ ହ୍ୱାର୍ଟସଆପ ଆକାଉଂଟକୁ ବନ୍ଦ କରାଯାଇଛି । ଏହି ସମସ୍ୟାର ମୁକାବିଲା କରିବାକୁ ଟେଲିକମ ବିଭାଗ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ସର୍ବଭାରତୀୟ ସ୍ତରରେ ଏକ ପ୍ରକାର ବାୟୋମେଟ୍ରିକ ସିମ ଯାଂଚ ବ୍ୟବସ୍ଥା ଲାଗୁ କରାଯିବ । ସନେ୍ଦହଜନକ କାରବାରରେ ବ୍ୟବହୃତ ହେଉଥିବା ସିମକାର୍ଡକୁ ବନ୍ଦ କରି ଦିଆଯିବ । ଏହି ନିୟମକୁ ଶୀଘ୍ର ଲାଗୁ କରିବାକୁ ଟେଲିକମ କମ୍ପାନୀଗୁଡ଼ିକୁ କୁହାଯାଇଛି । ତଦନ୍ତକାରୀ ଏଜେନ୍ସିଙ୍କୁ ତୁରନ୍ତ ତଥ୍ୟ ଦୋବକୁ ଟେଲିକମ କମ୍ପାନୀ ଓ ପିଓଏସ ଏଜେଂଟଙ୍କୁ କୁହାଯାଇଛି ବୋଲି ସରକାର କୋର୍ଟକୁ ଜଣାଇଛନ୍ତି ।
ଦେଶରେ ସିମ ବାଇଣ୍ଡିଂ ନିୟମ ଲାଗୁ ହେବାକୁ ଯାଉଛି । ଏହାର ଅର୍ଥ ହେଉଛି ଡିଭାଇସ ସହ ଲିଙ୍କ ହୋଇଥିବା ସିମ ଥିଲେ ହିଁ ଫୋନରେ ହ୍ୱାଟସଆପ ଭଳି କାମ କରିବ ।
ଡିଜିଟାଲ ଗିରଫଦାରୀ ହେଉଛି ଏଭଳି ଏକ ପ୍ରକାର ଠକେଇ ଯେଉଁଥିରେ ଅପରାଧୀମାନେ ପୁଲିସ କିମ୍ବା ତଦନ୍ତକାରୀ ଏଜେନ୍ସିର ଅଧିକାରୀ ବେଶ ହୋଇ ପୀଡ଼ିତଙ୍କୁ ଭିଡ଼ିଓ କଲ ଜରିଆରେ ଗିରଫ କରି ବ୍ୟାଙ୍କ ଖାତା ଅଚଳ କରିଦେବା, ପାସପୋର୍ଟ ଜବତ କରିବା ଭଳି ଧମକ ଦେଇଥାଆନ୍ତି ଓ ତାଙ୍କଠାରୁ ଜୋରିମାନା ଓ ସିକ୍ୟୁରିଟି ଡିପୋଜିଟ ଆକାରରେ ଟଙ୍କା ମାଗିଥାଆନ୍ତି ।
୨୦୨୪ରେ ଏଭଳି ଅନେକ ଘଟଣା ଦେଶର ବିଭିନ୍ନ ପ୍ରାନ୍ତରରେ ଘଟିଥିଲା । ଅପରାଧୀମାନେ ଭିଡ଼ିଓ କଲରେ ଏଭଳି ପରିବେଶ ସୃଷ୍ଟି କରିଥାଆନ୍ତି, ଯାହା ଏକ ଅସଲି ଥାନା କିମ୍ବା ସରକାରୀ କାର୍ଯ୍ୟାଳୟ ଭଳି ମନେହୁଏ । ଯେଉଁଥିରେ ଅନେକ ନାଗରିକ ପ୍ରତାରଣାର ଶିକାର ହୋଇଥାଆନ୍ତି ।