ଜିତୁ ମୁଣ୍ଡା କାନ୍ଧରେ ଭଉଣୀର କଙ୍କାଳ ପ୍ରସଙ୍ଗ : ଜିଲା ପ୍ରଶାସନର ସ୍ପଷ୍ଟୀକରଣ
ନିଜ ମୃତ ଭଉଣୀର ବ୍ୟାଙ୍କ ଜମାଖାତାରୁ ତିନିମାସ ପୂର୍ବେ ଟଙ୍କା ଉଠାଇବା ନିମନ୍ତେ ବ୍ୟାଙ୍କ କର୍ତୃପକ୍ଷ ପ୍ରମାଣ ମାଗିବାକୁ କେନ୍ଦ୍ରକରି ପାଟଣା ବ୍ଲକ ଦିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜର ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଂଚିଥିଲା ।
ଏହି ଘଟଣାରେ ରାଜ୍ୟ ଓ ଦେଶର ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଘଟଣାରେ ଆଜି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଘଟଣାଟି ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରାଯାଇଛି ।
ପ୍ରଶାସନ ପକ୍ଷରୁ ଜାରି ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲା ରେକଡ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ପରିବାରର ଦାରିଦ୍ର୍ୟ ଓ ଅସହାୟତାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତିରେ ମୃତ ଭଉଣୀ କଲରା ମୁଣ୍ଡାଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଏହା ସହ ସୁଧ ସହ ଜମା ଟଙ୍କା ୧୯ହଜାର ୪୦୨ ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟାଙ୍କ ସମ୍ବନ୍ଧୀୟ କାରବାର ସମ୍ପର୍କରେ ଅଜ୍ଞତା ଯୋଗୁଁ ଘଟିଛି, ଏହା ସତ୍ୱେ କୌଣସି ଅଶିକ୍ଷିତ ବ୍ୟକ୍ତି ଏଭଳି ପୁଣି ଅସୁବିଧାରେ ନ ପଡ଼ିବେ ସେ ନେଇ ଅଧିକ ସମ୍ବେଦନଶୀଳତା ଗ୍ରହଣ କରାଯିବ ।
ଘଟଣାର ସବିଶେଷ ତଦନ୍ତ କରାଯାଉଛି । ଯଦି ଏଭଳି କୌଣସି ଘଟଣା କିମ୍ବା ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଜିଲା ପ୍ରଶାସନ କିମ୍ବା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସୂଚିତ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।