ପୁରୀ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି
ଆଗାମୀ ଜୁଲାଇ ୧୬ ତାରିଖରେପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଏହି ଐତିହାସିକ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । କୌଣସି ଅବ୍ୟବସ୍ଥା ଯେପରି ନ ଉପୁଜେ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ । ପରମ୍ପରା ଅନୁସାରେ ଜୁନ ୨୯ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୪ରେ ନବଯୌବନ ବେଶ, ଜୁଲାଇ ୧୬ରେ ରଥଯାତ୍ରା, ଜୁଲାଇ ୨୦ରେ ହେରା ପଂଚମୀ, ଜୁଲାଇ ୨୩ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୪ରେ ଚତୁର୍ଦ୍ଦା ମୂର୍ତିଙ୍କ ବାହୁଡ଼ା ଯାତ୍ରା, ଜୁଲାଇ ୨୫ରେ ସୁନାବେଶ, ଜୁଲାଇ ୨୬ରେ ଅଧରପଣା ଏବଂ ଜୁଲାଇ ୨୭ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ ।
ଚତୁର୍ଦ୍ଦା ମୂର୍ତିଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ସମାଗମ ହେବେ । ତେଣୁ ସେମାନଙ୍କ ସୁରକ୍ଷା ଓ ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରେ ସେଥିପାଇଁ ଯାତାୟାତ ଓ ଟ୍ରାଫିକ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅତିରିକ୍ତ ୮ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି । ସେହିରପି ଅଧିକ ଭିଡ଼ ଥିବା ସ୍ଥାନଗୁଡ଼ିକରେ କ୍ରାକ ଟିମ ମୁତୟନ କରଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସେହିପରି ସିସି ଟିଭି, କ୍ୟାମେରା ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଛି ।
ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଂଚଳରେ ସ୍ୱତନ୍ତ୍ର ଡ୍ରାଇଭ ଚାଲୁ କରିବା, ହୋଟେଲ ଓ ଲଜଗୁଡ଼ିକରେ ନିୟମିତ ଯାଂଚ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦେଶ ହୋଇଛି । ରଥଯାତ୍ରା ସମୟରେ ବାହାର ରାଜ୍ୟରେ ଅଭ୍ରାସଗତ ଅପରାଧୀମାନଙ୍କ ଆଗମନ ସମ୍ଭାବନା ଥିବାରୁ ସେମାନଙ୍କ ଉପରେ କଠୋର ନଜର ରଖିବାକୁ ନିର୍ଦେଶ ହୋଇଛି । ସମୁଦ୍ର କୂଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରେଳବାଇ ପୁଲିସ ପକ୍ଷରୁ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଛି ।
ଆରପିଏଫ୍ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆଲୋଚନା ହୋଇଛି । ସାଧାରଣ ଭକ୍ତ ଯେପରି ଶାନ୍ତିଶୃଙ୍ଖଳାର ସହ ରଥ ଟାଣିପାରନ୍ତି ଓ ଦର୍ଶନ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦେଶ ହୋଇଛି । ବୈଠକରେ ଆରକ୍ଷୀ ନିର୍ଦେଶକ (କ୍ରାଇମବ୍ରାଂଚ) ବିନୟତୋଷ ମିଶ୍ର, ନିର୍ଦେଶକ (ଗୁଇନ୍ଦା) ଆର.ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଶୃଙ୍ଖଳା) ସଂଜୟ କୁମାର, ପରିବହନ କମିସନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (କମ୍ୟୁନିକେସନ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଏସଏପି) ରାଜେଶ କୁମାର, ଆଇଜି (ଅପରେସନ) ଡ. ଦୀପକ କୁମାର, ଆଇଜି (ବିପିଏସପ୍ଖଶ) ଅନୁପ ସାହୁ, ଆଇଜି (ଗୁଇନ୍ଦା) ଜୟ ନାରାୟଣ ପଙ୍କଜ, ନିର୍ଦେଶକ (ଏସସିଆରବି) ଅବିନାଶ କୁମାର, ଆଇଜି (କ୍ରାଇମବ୍ରାଂଚ) ଡ. ସାର୍ଥକ ଷଡ଼ଙ୍ଗୀ, ଆଇଜି (କେନ୍ଦ୍ରାଂଚଳ)ସତ୍ୟଜିତ ନାୟକ, ଡିଆଇଜି (ଏସଆଇଡବ୍ଲ୍ୟୁ) ଅଖିଲେଶ୍ୱର ସିଂ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (କାର୍ମିକ)ଯୁଗଳ କିଶୋର ମନୋଥ, ଏଆଇଜି (ଆଇନ ଶୃଙ୍ଖଳା) ପ୍ରଭାଶଙ୍କର ନାୟକଙ୍କ ସମେତ ବହୁ ବରିଷ୍ଠ ପୁଲିସ ପଦାଧିକାରୀ ଉପସ୍ଥିତ ଥିଲେ । ଏହା ସହ ଦୃଶୃସଂଚାରୀ ମାଧ୍ୟମରେ ଆଇଜିପି (ଉତର କେନ୍ଦ୍ରାଂଚଳ) ସତ୍ୟବ୍ରତ ଭୋଇ, ଡିଆଇଜି (ପୂର୍ବାଂଚଳ) ପିନାକ ମିଶ୍ର, ଏସପି (ପୁରୀ) ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।