ଦୁର୍ଘଟଣାରୁ ବର୍ତିଲା ଏୟାର ଇଣ୍ଡିଆ ବିମାନ
ଦିଲ୍ଲୀରୁ ଆସୁଥିବା ଏକ ଏୟାର ଇଣ୍ଡିଆର ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଶିକାର ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତିଯାଇଛି । ଯାହାଦ୍ୱାରା ୧୮୧ଜଣ ଛାତ୍ରୀ ବିପଦରୁ ରକ୍ଷା ପାଇଯାଇଛନ୍ତି ।
ଜଣାପଡ଼ିଛି ଯେ ଲ୍ୟାଣ୍ଡିଂ ବେଳେ ରନୱେରେ ବିମାନର ପଛଭାଗ ପିଟି ହୋଇଯାଇଛି । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ସହ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଛି । ଘଟଣାଟି ଏୟାର ଇଣ୍ଡିଆର ବିମାନ ଏଆଇ୨୬୫୧ ଘଟିଛି ।
ଏହା ଏକ ଏ-୩୨୦ ସିରିଜର ନାରୋବଡ଼ି ଏୟାରବସ ବିମାନ ଟେଲଷ୍ଟ୍ରାଇକ ଶିକାର ହୋଇଛି । ବିମାନଟି ଟେକଅଫ ବା ଲ୍ୟାଣ୍ଡିଂ ସମୟରେ ରନୱେ ସହ ଘଷି ହେବାକୁ ଟେଲ ଷ୍ଟ୍ରାଇକ କୁହାଯାଇଥାଏ । ବିମାନଟି ଟେଲ ଷ୍ଟ୍ରାଇକ ହେବା ପରେ ଗ୍ରାଉଣ୍ଡେଡ କରାଯାଇଛି ।
ସୂଚନା ଅନୁଯାୟୀ ବିମାନଟି ଲ୍ୟାଣ୍ଡିଂ କରୁଥିବା ସମୟରେ ଅନ୍ୟ ଏକ ବଡ଼ ବିମାନ ସେଠାରୁ ଉଡାଣ ଭରିଥିଲା । ସେହି ବଡ଼ ବିମାନ ଯୋଗୁଁ ପବନର ଗତିରେ ପ୍ରବଳ ତରଙ୍ଗ ବା ୱେକ ଟର୍ବୁଲନ୍ସ ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ବିମାନଟିର ସନ୍ତୁଳନ ବିଗିଡ଼ି ଯାଇଥିଲା । ପବନର ଝଟକା ଯୋଗୁଁ ପାଇଲଟ ବିମାନକୁ ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ, ଯାହାଦ୍ୱାରା ସେସମୟରେ ବିମାନର ପଛଭାଗ ରନୱେରେ ଘସି ହୋଇଯାଇଥିଲା ।
ଘଟଣା ପରେ ବେଙ୍ଗାଲୁରୁରୁ ଦିଲ୍ଲୀ ଫେରିବାକୁ ଥିବା ବିମାନ ଏଆଇ ୨୬୫୧କୁ ବାତିଲ କରାଯାଇଛି । ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ଉପୁଜିଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ବିମାନରେ ୧୮୧ଜଣ ଯାତ୍ରୀ ରହିଥିଲେ । ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ଘଟଣାର ତଦନ୍ତ ଆରମ୍ଭ ହୋଇଛି ।