ଇସ୍ତଫା ଦେବିନି, ବହିଷ୍କାର କରନ୍ତୁ : ମମତା
ମୁୁଁ ଇସ୍ତଫା ଦେବି ନାହିଁ, ସେମାନେ ମୋତେ ବହିଷ୍କାର କରନ୍ତୁ । ମୁଁ ଚାହେଁ ଏହି ଦିନକୁ ‘କଳା ଦିବସ’ ଭାବେ ପାଳନ କରାଯାଉ ।
ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏଭଳି ବାକ୍ୟରେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ଫଳାଫଳ ଉପରେ କଡ଼ା ଆପତି ପ୍ରକାଶ କରି କହିଛନ୍ତି ଯେ ତାଙ୍କର ପରାଜିତ ପ୍ରାର୍ଥୀମାନଙ୍କୁ ଏକ ଷଡ଼ଯନ୍ତ୍ରର ଅଂଶ ଭାବେ ବଳପୂର୍ବକ ପରାସ୍ତ କରାଯାଇଛି । ସେ ଏହି ଫଳାଫଳ ପାଇଁ ନିର୍ବାଚନ କମିସନ, ପଶ୍ଚିମବଙ୍ଗ ପୁଲିସ, ସିଆରପିଏଫ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ୧,୫୦୦ରୁ ଅଧିକ କାର୍ଯ୍ୟାଳୟ ଜବତ ଓ ଭଙ୍ଗାରୁଜା କରାଯାଇଛି ।
ରିପୋର୍ଟ ଅନୁସାରେ ନବ ନିର୍ବାଚିତ ଟିଏମସି ବିଧାୟକଙ୍କ ସହ ଏକ ବୈଠକରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ‘ପଶ୍ଚିମବଙ୍ଗକୁ ଅନୁସରଣ କରି ଭାରତ ମେଂଟ ଦଳ ଏବେ ଏକଜୁଟ ହୋଇଛି । ତେବେ ମୁଁ ଇସ୍ତଫା ଦେବି ନାହିଁ, ଆବଶ୍ୟକ ହେଲେ ମୋତେ ବହିଷ୍କାର କରନ୍ତୁ ।
ମୁଁ ଚାହେଁ ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉ । ଏହି କ୍ଷେତ୍ରରେ ଆମକୁ ଦୃଢ଼ ରହିବାକୁ ପଡ଼ିବ । ବିଧାନସଭା ଅଧିବେଶନର ପ୍ରଥମ ଦିନରେ, ସମସ୍ତ ଟିଏମସି ବିଧାୟକ କଳା ପୋଷାକ ପିନ୍ଧିବା ଉଚିତ୍ । ଯେଉଁମାନେ ଦଳ ସହିତ ବିଶ୍ୱାସଘାତକତା କରିଛନ୍ତି, ସେମାନଙ୍କୁ ଦଳରୁ ବହିଷ୍କାର କରାଯିବ ।
ଆମ୍ଭେ ଏହି ମତଦାନରେ ହାରି ଯାଇଥିଲେ ମଧ୍ୟ ସାଧାରଣଙ୍କ ପାଇଁ ଲଢ଼ିବୁ ।