ଦେବି ନାହିଁ ଇସ୍ତଫା : ମମତା
ପଶ୍ଚିମବଙ୍ଗ ବିଧାନସଭାର ଭୋଟ ଗଣନା ଗତକାଲି ୨୯୩ଟି ଆସନ ପାଇଁ ଶେଷ ହୋଇଛି ।
ଭୋଟ ଫଳାଫଳ ପରେ ଆଜି ପ୍ରଥମ ଥର ପାଇଁ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ ବିଜେପି ବିରୋଧରେ ଭୋଟ ଚୋରି ନିର୍ବାଚନ କମିସନଙ୍କ ସହଯୋଗରେ କରାଯାଇଥିବା ଅଭିଯୋଗ କରିଛନ୍ତି ।
ସେ ଦୃଢ଼ୋକ୍ତିର ସହ କହିଛନ୍ତି ଯେ ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାରି ନାହାଁନ୍ତି, ବରଂ ବଳପୂର୍ବକ ତାଙ୍କ ଭୋଟ ଲୁଟ କରାଯାଇଥିବା କହିଛନ୍ତି । ନିର୍ବାଚନରେ ହାରି ନଥିବାରୁ ସେ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ଆଜି ଦଳୀୟ ଦପ୍ତରରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ।
ତାଙ୍କର ଦୃଢ଼ୋକ୍ତି ଯେ ମୁଁ ହାରିନାହିଁ, ତେଣୁ ରାଜଭବନ ଯିବାର ପ୍ରଶ୍ନ ଉଠୁନାହିଁ । ବିଜେପି ଲୁଟ କରି ବିଜୟ ହାସଲ କରିଛି । ପଶ୍ଚିମବଙ୍ଗରେ ବିଜେପି ୧୦୦ଟି ଆସନ ଲୁଟ କରିଥିବା ବିଷୟକୁ ସେ ବାରମ୍ବାର ଦୋହରାଇଥିବା ଶୁଣିବାକୁ ମିଳିଛି । ଯେତେବେଳେ ନିର୍ବାଚନ କମିସନ ପକ୍ଷପାତିତା କରୁଛନ୍ତି ଓ ସରକାର ଗୋଟିଏ ଦଳର ଶାସନ ଚାହୁଁଛନ୍ତି, ସେତେବେଳେ ଗୋଟିଏ ଖରାପ ବାର୍ତା ସମଗ୍ର ବିଶ୍ୱକୁ ଯାଉଛି ।
ସେ ଦଳର ପରାଜୟର ସମସ୍ତ ଦୋଷ ନିର୍ବାଚନ କମିସନ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଲଦିଛନ୍ତି ।
ତାଙ୍କର ବକ୍ତବ୍ୟ କମିସନ ଅତ୍ୟନ୍ତ ଖରାପ ଖେଳ ଖେଳିଛନ୍ତି, ଯାହାକି ଅନୁଚିତ ପଦକ୍ଷେପ ଥିଲା ।