ଭୁବନେଶ୍ୱର ଓ କଟକରେ କାଳବୈଶାଖୀର ପ୍ରଭାବ
ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଅପରାହ୍ଣରେ କାଳବୈଶାଖୀ ଝଡ଼ବର୍ଷା ପ୍ରଭାବ ପଡ଼ିଥିବା ପରିଲକ୍ଷିତ ହୋଇଛି ।
କିଛି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଛି । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ସାଙ୍ଗକୁ ପବନ ଅନେକଙ୍କୁ ହଟହଟାରେ ପକାଇଥିଲା ।
ଅପରାହ୍ଣ ପ୍ରାୟ ୫ଟା ବେଳେ ଭୁବନେଶ୍ୱର ଆକାଶ କଳା ମେଘରେ ଘୋଟି ହୋଇ ଯାଇଥିଲା ଏବଂ ନିମିଷକ ମଧ୍ୟରେ ପ୍ରବଳ ଝଡ଼ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ସମୟରେ ପ୍ରବଳ ପବନ ବହିବା ଯୋଗୁଁ କେତେକ ଦୋକାନର ହୋର୍ଡିଂ, ଫ୍ଲେକ୍ସ ଇତ୍ୟାଦି ଭାଙ୍ଗି ଯାଇଥିବା ନଜରକୁ ଆସିଛି ।
ତେବେ ବିଶେଷ କ୍ଷୟକ୍ଷତି ଘଟିନାହିଁ । ସେହିପରି କଟକର କିଛି ଅଂଚଳରେ ଆଜି କାଳ ବାଦଲ ଘୋଟି ହେବା ସହ କିଛି ସ୍ଥାନରେ ବର୍ଷା ହୋଇଛି ।
ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିବା ଶୁଣାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ଝଡ଼ବର୍ଷାର ପୂର୍ବାଭାସ ଦିଆଯାଇଥିଲା, ଯାହାକି ଓଡ଼ିଶାର କେତେକ ସ୍ଥାନରେ ବାସ୍ତବ ରୂପ ନେଇଥିବା ଦେଖାଯାଇଛି ।
ତେବେ ଜିଲା ପ୍ରଶାସନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ କ୍ଷୟକ୍ଷତି ସମ୍ବନ୍ଧରେ ସବିଶେଷ ଜଣାପଡ଼ିବ ।